ପାହାନ୍ତି ସପନ
ପାହାନ୍ତି ସପନ
ଆଖି ମୁଦୁ ମୁଦୁ ଦିଶିଗଲା ମତେ
ସ୍ମୃତି ର ଅଡୁଆ ଖିଅ
ସଜାଡ଼ିବା ପାଇଁ ବଢିଗଲା ହାତ
ସତେ କି ନଈର ସୁଅ ।
ଗଣ୍ଠି ପରେ ଗଣ୍ଠି ଫିଟଉ ଫିଟଉ
ଚାଲି ଗଲି କିଛି ଦୂର
ସ୍ମୃତି ସହର ରେ ସତେ କି ଫଗୁଣ
ଚାହିଁଥିଲା ବାଟ ମୋର ।
ପହଂଚୁ ପହଂଚୁ ଅଜାଡି ଦେଲା ସେ
କାହିଁ କେବେ କାର କଥା
ଇନ୍ଦ୍ରଧନୁ ରଙ୍ଗେ ଭରିଗଲା ସତେ
ମନ ଅଗଣା ର ମଥା ।
ପାଦ ଚିପି ଚିପି ରଙ୍ଗ ନେସା ସେଇ
ପାଦ ଚିହ୍ନ ଦେଖାଗଲା
ବୟସ ପାହାଚେ ସଦ୍ୟ ଯୌବନେ
ତୁମ ହସ ଦିଶିଗଲା।
ଭୁଲିଗଲି କ୍ଷଣେ ଅବିକା ସମୟ
ପାଦ ଥାପି ଅତୀତ ରେ
ବିଗତ ଦିନ ର ପୁରୁଣା ଅତିଥି
ମନ ରେ ଶ୍ରାବଣ ଝରେ।
ଆଶା ଯାହା ଥିଲା ହଜିଛି କେବେଠୁ
ସମୟ ର ଇସାରାରେ
ନିଜକୁ ଖୋଜି ବି ପାଇ ପାରୁନାହିଁ
ସକାଳ ର ଆଲୁଅ ରେ।
ହଠାତ ସ୍ପର୍ଶ ରେ ଭାଜିଗଲା ନିଦ
ମୁହେଁ ପଡ଼ିଲାଣି ଖରା
ମନେ ମନେ ଭାରି ଲାଜେଇ ଗଲି ମୁଁ
ଏଯେ ପାହାନ୍ତି ସପନ ପରା।