କିଏ ସିଏ ଅନାମିକା
କିଏ ସିଏ ଅନାମିକା
ନିରିଜନ ନଦୀପଠା କାଶତଣ୍ଡୀ ମେଳରେ
କିଏ ସିଏ ଅନାମିକା ନାଚୁଅଛି ଖୁସିରେ
ଶରତର ଶୋଭା ଦେଖି ହୃଦୟ ତା' ବିଭୋର
କି ଉପମା ଦେବି ମୁହିଁ ତା'ର ସେଇ ରୂପର !
ଲାଗୁଅଛି ପରୀଟିଏ ନାଲିଧଳା ଶାଢୀରେ
ମୁକ୍ତକେଶୀ ଅନୁପମା ସ୍ମିତହାସ୍ୟ ଓଠରେ
ନାଇଛି ସିନ୍ଦୂର ଧାରେ ଯତନରେ ସିନ୍ଥିରେ
ସଜାଇଛି ଶରୀରକୁ ନାନା ଆଭୂଷଣରେ ।
ହାତରେ ମେହେନ୍ଦୀ ପାଦେ ଅଳତାର ଗାର
କଥାକୁହା ଆଖିଦୁଇ ସପନରେ ଅଧିର
ଘାସ ଗାଲିଚା ଉପରେ କାୟା ମନୋହର
କ୍ଷଣିକରେ ବଶ ହେଲା ହୃଦ ପ୍ରାଣ ମୋହର ।
ଦେବକନ୍ୟା ପରି ଆଭା ସେ ମୋହିନୀ ରୂପସୀ
ଭ୍ରମୁଅଛି ମର୍ତ୍ତେ କିବା ସ୍ୱର୍ଗପୁରୀରୁ ଆସି ।

