ମୁଠାଏ ସ୍ମୃତି
ମୁଠାଏ ସ୍ମୃତି
ଜୀବନର ପଥେ ଚାଲୁ ଚାଲୁ କେତେ
ଦୋଛକିରେ ହଜେ ଭ୍ରମେ ମଣିଷ,
ଯାହା ପାଇଥାଏ କିଛି ମନେ ରହେ
ଆଉ କିଛି ସ୍ମୃତି ହୁଏ ପାଉଁଶ |
କିଛି ସୁମଧୁର କିଛି ତିକ୍ତ ସ୍ମୃତି
ମସ୍ତିଷ୍କ ତନ୍ତ୍ରୀରେ ଦୋହଲୁଥାଏ,
ହୃଦୟେ ଆଙ୍କଇ ଅତୀତର ଛବି
ଆଖିଆଗେ ସବୁ ନାଚି ଯେ ଯାଏ |
ମଣିଷ ବଞ୍ଚିଛି ସଂସାରେ କେବଳ
ମୁଠାଏ ସ୍ମୃତିକୁ କରି ନିଜର,
ନହେଲେ ବଞ୍ଚିବା ହୁଅନ୍ତା ଅସାର
ନଥାନ୍ତା ଜୀବନେ ପ୍ରୀତି ମଧୁର |
କେବେ ବିରହର କେବେ ମିଳନର
କେବେ ପ୍ରିୟଜନ ଲଭେ ମରଣ,
ସବୁ ଘଟଣା ଯେ ମୁଠେ ସ୍ମୃତି ହୋଇ
ସାରା ଜୀବନକୁ କରେ ଦହନ |
ସ୍ମୃତି ଜୀବନର ଅନୁଭୂତି ପରା
ସଠିକ ରାସ୍ତାକୁ ଚିହ୍ନାଇ ଥାଏ ,
ସ୍ମୃତି ପରା ଏକ ରୂପା ଜହ୍ନଟିଏ
ମଳିନ ହେଲେ ବି ଆଲୋକ ଦିଏ |
ସଭିଙ୍କ ଜୀବନେ ମୁଠାଏ ସ୍ମୃତିରେ
ଭରି ରହିଥାଏ ଅନେକ ଗାଥା,
ଗୋପନେ ସପନେ କେବେ ମାଦକତା
କେବେ ଭରିଥାଏ ଅକୁହା ବ୍ୟଥା |
ସ୍ମୃତି କହିଥାଏ ପିଲାଦିନ କଥା
ତାରୁଣ୍ୟେ ପ୍ରଥମ ପ୍ରେମର ଭାଷା,
ମନେ ପଡେ ଯେବେ ଆଣେ ଶିହରଣ
ହୃଦୟ ଝରାଏ ଆଖିରେ ବର୍ଷା |

