ଅସମ୍ପୂର୍ଣ୍ଣ କବିତା
ଅସମ୍ପୂର୍ଣ୍ଣ କବିତା
ଭ୍ରମର ଭଳି ମହୁ ଶୋଷିବା
ପ୍ରଜାପତିକୁ ବି ଜଣା
ଉଭୟ ପ୍ରତାରଣାରେ
ପରସ୍ପର ପରିପୂରକ
କିନ୍ତୁ..
କାହିଁକି ଏ ମନ କେଜାଣି
ପ୍ରଜାପତିକୁ ହିଁ ବେଶୀ ଭାବିଥାଏ |
ତାର ସବୁଜ କାନିରେ
ନିଜକୁ ବାନ୍ଧିରଖି
ସାରା ଜୀବନ ଏମିତି ଛଟପଟ ହେଉଥାଏ |
ନା ଧରିହୁଏ
ନା ଭୁଲିହୁଏ l
ସେତ ମୋହିନୀ କନ୍ୟା
ମୋହନ ବଂଶୀରେ ସଭିଙ୍କୁ
ବଶୀଭୂତ କରି
ପୁଣି ଥରେ ଭୁଲିଯାଏ
ଠିକ ଏକ ଅସମ୍ପୂର୍ଣ୍ଣ କବିତା ଭଳି |
ଅପେକ୍ଷା ଓ ପରୀକ୍ଷା
ଏ ଦୁଇ ବି ଫିକାଲାଗେ
ନିତି ଆସେ ନିତି ଯାଏ
ଠିକ ଏଇ ସୂର୍ଯ୍ୟଭଳି |
କେବେ ଅମାବାସ୍ୟାରେ ଆଲୋକ ତ
କେବେ ପୁର୍ଣିମାରେ ବି
ପଶ୍ଚିମର ପାହାଡ଼ କଣରୁ ମାଡିଆସେ ଅନ୍ଧକାର
ପୁରା କରିବାକୁ ସେ ଅସମ୍ପୂର୍ଣ କବିତାକୁ |
ହେଲେ ସେ କି ଦେଖିପାରେ
ଅନନ୍ତ ଦୂରତାରୁ ବର୍ଷାର ସେ ମୁକୁଳା କେଶରେ
ରଚାଯାଇପାରେ ଆଉ ଏକ ମହାଭାରତ |
ନିର୍ମଳ ଆକାଶେ ବି ଅଦିନରେ
ମେଘ ଘୋଟି
ଆମନ୍ତ୍ରଣ କରିପାରେ
ପ୍ରଳୟକାରୀ ସୁନାମିକୁ |
ପରିଶେଷରେ
ଚିରଦିନ ପାଇଁ କାରାଗାରେ ଆତ୍ମସମର୍ପଣ କରେ
ରଚଯାଇଥିବା ସେ ଅସମ୍ପୂର୍ଣ୍ଣ କବିତା |

