ବେଶ୍ୟାର କାହାଣୀ
ବେଶ୍ୟାର କାହାଣୀ
ହଁ ମୁଁ ବେଶ୍ୟା
ପୁରୁଷର କାମନାର ଜ୍ୱାଳାକୁ
ନିଜ ଶରୀରରେ ସମାଧି ଦେଇ,
ସମାଜ ଆଗରେ ପାଲଟି ଯାଇଛି ଏକ ବେଶ୍ୟା |
ଜାଣେ
ମୋର ନିର୍ଦ୍ଦିଷ୍ଟ ଠିକଣା ନାହିଁ,
ରାତି ପାହିଗଲେ
ଠିକଣା ବଦଳି ଯାଏ
ଆଉ ବଦଳାଏ ପୁରୁଷଙ୍କୁ
ଦେହର ପୋଷାକ ଭଳି |
ତଥାପି ବି କେବେ ହାର ମାନିନି
ହାତ ପତେଇନି ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧିବାକୁ
ଏ ରାକ୍ଷସ ରକ୍ତ ମାଂସ ଲୋଭି ସମାଜ ଆଗରେ |
ଅର୍ଥର ପଟି ସ୍ୱାର୍ଥର ଚକ୍ଷୁରେ ବାନ୍ଧି
ଜଳୁଥିବା ଦେହର ଜ୍ୱାଳାକୁ ମେଣ୍ଟାଇଲା ପରେ
କେବେ ବି ପ୍ରତିବାଦ କରିନି
ଇଜ୍ଜତର ଖଣ୍ଡିଏ ଶାଢ଼ୀ ପାଇଁ |
ଖୋଜିନି ଶାରୀରିକ ପୀଡ଼ାକୁ
କାହା କାନ୍ଧରେ ମୁଣ୍ଡ ରଖି
ଆଖିର ଲୁହ ଭାବରେ ନିଗାଡ଼ିବାକୁ |
କି କେବେ ବି ଅଭିଯୋଗ କରିନି
ଛିନ୍ନ ହୋଇଥିବା ରକ୍ତ ବିନ୍ଦୁକୁ ଏକତ୍ରିତ କରି
ମଥାର ସିନ୍ଦୁର ଭାବେ ପିନ୍ଧିବାକୁ |
ତଥାପି ସମାଜ ମୋତେ ଦେଖେ
ଭିନ୍ନ ଏକ ଦୃଷ୍ଟିଭଙ୍ଗୀରେ
ସବୁକିଛି ନୀରବରେ ସହିଯାଏ
ଦିନର ଅନ୍ଧକାର ଭିତରେ |