ମୃତ୍ୟୁର କୋଳରେ-୨
ମୃତ୍ୟୁର କୋଳରେ-୨
ଦେଖି ନବଘନ ଉଦ୍ଭାସୁ ଚୈତନ୍ୟ
ନିର୍ବିକଳ୍ପ ରୂପରେଖ
ଜାଗି ଉଠୁ ମନେ ବିରାଟ ସ୍ୱରୂପ
ବିଶ୍ଵରୂପ ଜଗନ୍ନାଥ ।
ନିମିତ୍ତ ମାତ୍ରକେ ଅଟଇ ମଣିଷ
କଣିକାଏ କ୍ଷୁଦ୍ର ପ୍ରାଣ
ମରତ ଲୋକରେ ଜନମ ଲଭିଣ
ଲଭଇ ନିଶ୍ଚେ ମରଣ ।
ଧନ ଦଉଲତ ଅରଜେ ସମ୍ପତ୍ତି
କହେ ସବୁ ମୋର ମୋର
ପଦ ଓ ପଦବୀ କ୍ଷମତା ନିଶାରେ
ହୁଅଇ କେତେ ପାଗଳ ।
ନିଜକୁ ମଣଇ ଇନ୍ଦ୍ର ଚନ୍ଦ୍ର ସମ
ପ୍ରଭୁତ କ୍ଷମତାଶାଳୀ
ବୃଥା ଅହଂକାର ହିଂସା ଅଭିମାନେ
ମନେ ମନେ ଉଠେ ଫୁଲି ।
ଅସାର ସଂସାର ଅଳୀକ ଜୀବନ
ଜଳର ବୁଦବୁଦ ପ୍ରାୟ
ରହିବନି ସଦା ଯିବ ସେ ଉଭେଇ
ବୃଥା ମିଛ ମାୟା ମୋହ ।
ହେଉ ପରିପୃକ୍ତ ରସ ଘନୀଭୂତ
ଅମୃତର ନୀଳ କଣ
ସଞ୍ଚରୁ ଜୀବନେ ସବୁଜ ସୁନ୍ଦର
ମଙ୍ଗଳ ସତ୍ୟ ସୁଗୁଣ ।
ସୁନୀଳ ଆକାଶ ନୀଳ ପାରାବାର
ନୀଳ ନୀଳିମା ନିରେଖି
ପ୍ରତିଟି ଜୀବନ ହେଉ ପରିପୂର୍ଣ୍ଣ
କୃପା କର ଚକା ଆଖି ।
------