ସ୍ବୀକାରୋକ୍ତି ବିଶ୍ବାସର
ସ୍ବୀକାରୋକ୍ତି ବିଶ୍ବାସର


ଥମି ତ ଯାଉଛି
ଘଡ଼ିଏ ଭାବୁଛି ବସି ,
ଆପେ ଆପେ ଆଖି ଜକେଇ ଆସୁଛି
ଲୋତକ ପଡୁଛି ଖସି ।
ସହରଟା ସାରା ଶୂନ୍ୟତାରେ ଭରା
ହଜିଛି ସୁଖର ଚାବି,
ଜୀଅନ୍ତା ମଣିଷ ନିଇତି ଦେଖୁଛି
ମରଣର ପ୍ରତିଛବି ।
ଶ୍ମଶାନ ଭୂଇଁଟା ଜଳି ଜଳି ଦେଖ
ଥକିଗଲା ପରି ଲାଗେ,
ତଥାପି ଛାଡୁନି ନିର୍ଦୟ ବିଧାତା
ଡାକିନିଏ ବସି ସ୍ବର୍ଗେ ।
ଧାବମାନ ଧରା ଅଟକି ଯାଇଛି
ସ୍ଥାଣୁ ପାଲଟିଛି ଆଜି,
ପ୍ରଶ୍ନବାଣେ ତାର କ୍ଷତାକ୍ତ ଶରୀର
ଉତ୍ତର ପାଉନି ଖୋଜି ।
ବର୍ତ୍ତମାନ ଯା'ର ଅସ୍ଥିର ଅଥୟ
ଭବିଷ୍ୟତ କିଏ ଜାଣେ ,
ନିରୁପାୟ ହୋଇ ଭାଗ୍ୟକୁ ଆଦରି
ଦିନ ବସି ଖାଲି ଗଣେ ।
ଲଢି ମୁଁ ଶିଖିଛି ତଥାପି ଡରୁଛି
କାରଣଟା ଜଣା ନାହିଁ ,
ପଥର ସଦୃଶ ହୃଦୟ ମୋହର
ଥରି ଉଠେ ଆଜି କାହିଁ ?
ମରିନି ଆଶା ମୋ ମଣିଷ ପରା ମୁଁ
ନୀରବି ଯାଇଛି ଯାହା,
ଚାଲୁଛି ଚାଲିବି ଦୁନିଆଁ ଦାଣ୍ଡରେ
ଖୋଜି ବୁଲୁଥିବି ରାହା ।
ସାକ୍ଷୀ ଇତ
ିହାସ ଏଇ ମୋର ଦେଶ
ଦେଖିଛି କେତେ ବିପତ୍ତି ,
ସବୁକୁ ସହିଛି ଆଡେ଼ଇ ଯାଇଛି
ନରଖି ମନରେ ଭୀତି ।
ନଥିଲା ଉନ୍ନତ ବିଜ୍ଞାନ ସେବେ ତ
ନଥିଲା ପ୍ରଚାର ପତ୍ର ,
ଗମନାଗମନ ଜୀବନର ମାନ
କେବଳ ନାମକୁ ମାତ୍ର ।
ନାନା ରୂପ ଧରି ଆସି ମହାମାରୀ
ତାଣ୍ଡବ ରଚିଛି କେତେ ,
ତଥାପି ପୂର୍ବଜ ନହୋଇ ଅଧର୍ଯ୍ୟ
ଲଢ଼ିଛନ୍ତି ସାଧ୍ୟ ମତେ ।
ଦାୟାଦ ତାଙ୍କରି ଯିବିନି ମୁଁ ହାରି
ପରୀକ୍ଷା ଏ ସାହସର,
କରୋନାର ଅନ୍ତ ହେବା ତ ନିର୍ଣ୍ଣୀତ
ସ୍ବୀକାରୋକ୍ତି ବିଶ୍ବାସର ।
ଏମିତି ଏ ରୋଗ ଚାହିଁଲେ ବି କେହି
ପାରିବନି ଏକା ଲଢ଼ି ,
ମିଳିମିଶି ସବୁ ପାଳିଲେ ନିୟମ
ହୁଏ ତ ଯିବ ସେ ଛାଡି ।
ମୁହଁକୁ ଘୋଡେ଼ଇ ସଦା ରହିଥିବ
କାଶ ଛିଙ୍କ ଠାରୁ ଦୂରେ,
ସାବୁନ ଲଗେଇ ଧୋଉଥିବ ହାତ
ଯେତେ ଥର ହୋଇ ପାରେ ।
ମଣିଷ ମଣିଷ ମଧ୍ୟରେ ଦୂରତା
ରଖିଥିବ ଯେବେ ତୁମେ ,
ଘାତକ କରୋନା ପାରିବନି ବ୍ୟାପି
ଫେରିଯିବ କାଳକ୍ରମେ ।