ମଧୁକାଳେ ହୋଲି
ମଧୁକାଳେ ହୋଲି
ମଧୁର ମଧୁର ମଳୟରେ ମୁଗ୍ଧ
ମନୋରମ ମହା ମହୀ ,
ମଞ୍ଜୁଳ ବସନ୍ତେ ଚୂତ ବୃକ୍ଷ ବୃନ୍ତେ
ମହକେ ବଉଳ ତହିଁ ।
ମୁରୁକି ମୁରୁକି ହସେ ପରଭୃତ
ମନୋଜ୍ଞ ତା ମଧୁସ୍ବର ,
ମୂର୍ଚ୍ଛନାରୁ ତାର ଝରି ପଡୁଥାଏ
ମଞ୍ଜୁ ରଙ୍ଗର ସମ୍ଭାର ।
ମହକେ ବିଭୋର ବିତରେ ମଧୁପ
ମଧୁକାଳେ ପ୍ରୀତି ରସ ,
ମର୍ମେ ମର୍ମେ ଜାଗେ ମର୍ମର ଜୀବନେ
ମନୋହର ଫଗୁ ବେଶ ।
ମଳିନ ମନରେ ମାଖିଦିଏ ରଙ୍ଗ
ମିଳନର ପର୍ବ ସେହି,
ମାନବକୁ ଦିଏ ଏକତାର ବାର୍ତ୍ତା
ମନ୍ତ୍ରଦାତା ହୋଲି ହୋଇ।
ମୋହନ ରାଈର ମେଲଣେ ମଉଜେ
ମୁଖରିତ ହେଲେ ଧରା ,
ମୈତ୍ରୀ ଭାତୃଭାବ ଉଜ୍ଜୀବିତ ହୋଇ
ମନ ହୁଏ ଆତ୍ମହରା ।
ମାଆ ଓ ମାଟିର ଖୁସି ଉଲ୍ଲାସର
ମମତାରେ ବୋଳା ହୋଲି,
ମହାମିଳନର ମହନୀୟ ଯଜ୍ଞ
ମୁଠା ମୁଠା ହସ ଖାଲି ।।