ତୁମର ସେ ଆଶ୍ଳେଷରେ
ତୁମର ସେ ଆଶ୍ଳେଷରେ
ବେଳେବେଳେ ମନ କହେ ହଜିଯାଆନ୍ତି
ତୁମ ବାହୁବନ୍ଧନରେ
ସାଉଁଟି ଆଣନ୍ତି ହୃଦୟରେ ବହୁଦିନରୁ ବସାବାନ୍ଧିଥିବା
ପ୍ରୀତିର ମିଠା ଭାବନା ସବୁକୁ ।
କଳ୍ପନାର ଘନ କୁହୁଡ଼ିକୁ ଚିରି
ପ୍ରେମର ସେ ଅପୂର୍ବ ଅନୁଭବକୁ
ଛୁଇଁଯାଆନ୍ତି ସକାଳର କଅଁଳିଆ ସୂର୍ଯ୍ୟ କିରଣ ପରି ।
ଦଲକାଏ ପବନ ଆସି ଛୁଇଁଯାଇ
ଭରିଦିଅନ୍ତା ତୁମ ମନରେ ପ୍ରୀତିର ଶିହରଣ
ତୁମେ ଭୁଲିଯାଅନ୍ତ ସମୟର ବାଧା ସମାଜର ବନ୍ଧନ
ଭୁଲିଯାଅନ୍ତ ଦୂରତ୍ୱର ସୀମା ସରହଦ ।
ତୁମର ସେ ଆଶ୍ଲେଷରେ
ମୁଁ ହୋଇଯାଆନ୍ତି ନୀରବ, ନିସ୍ତେଜ ଅଭିସାରିକାଟିଏ ।
ନିଜ ହୃଦୟରେ ସାଇତା ଲୁହଲହୁ
ନାନା ଭାବାବେଗକୁ କାଳି କରି
ଲେଖିଦିଅନ୍ତି ଏକ ମହାକାବ୍ୟ
ପ୍ରୀତି ପ୍ରଣୟର ।
ପୃଷ୍ଠା ପରେ ପୃଷ୍ଠାରେ ସଜାଇ ଦିଅନ୍ତି
ଅଭିମାନର କାହାଣୀ ଗୁଡିକୁ ।
ପ୍ରଚ୍ଛଦରେ ଆଙ୍କିଦିଅନ୍ତି ତୁମର ସେ
କଥା କହୁଥିବା ଆଖିଦୁଇଟିକୁ
ଖୁବ୍ ଯତ୍ନ ସହକାରେ ।
ମୁଠା ମୁଠା କରି ସାଇତି ରଖିଥିବା
ପ୍ରୀତିର ଆବେଗଗୁଡିକୁ ରଙ୍ଗ କରି
ଭରିନିଅନ୍ତି ବିଶ୍ୱାସର ତୂଳୀରେ ।
ମୁଁ ଆଉ ତୁମ ଭିତରେ ସୃଷ୍ଟ
ପ୍ରୀତିର ଇଲାକାରେ
ଜହ୍ନ,ତାରାଙ୍କ ବିଚାରରେ
ଅପୂର୍ବ ସୃଜନୀଟିଏ ବୋଲି
ବିବେଚନା କରି
ଢାଳିଦିଅନ୍ତେ ଆଞ୍ଜୁଳାଏ
ଅନୁରାଗର ଜୋଛନା ।
ହାଏ,ପ୍ରତୀକ୍ଷାର ପାଖୁଡ଼ାଗୁଡିକ ଆପେ ଆପେ
ନିଷ୍ପ୍ରଭ ହୋଇଯାଇ
ନୂଆ ଏକ ପ୍ରୀତିପୁଷ୍ପର ସୁଗନ୍ଧରେ ମହକି ଉଠନ୍ତା
ଦୁହିଁଙ୍କର ଯୌବନର ଉଦ୍ଦାମତା ।
ଆଶା ଆକାଂକ୍ଷାର ଘୃତରେ
ଜଳୁଥିବା ବୟସର ଦୀପାଳିଟି
ବିଛୁରି ଦିଅନ୍ତା ମୁନ୍ଦା ମୁନ୍ଦା ପ୍ରୀତିଆଲୋକ ରଶ୍ମୀ ।
ସେ ରଶ୍ମିରେ ଉଭେଇ ଯାଆନ୍ତା
ଦୁହିଁଙ୍କର ଅକୁହା ବ୍ୟଥାଗୁଡିକ ଖୁବ୍ ସନ୍ତର୍ପଣରେ ।

