STORYMIRROR

Kamala Satpathy

Comedy

3  

Kamala Satpathy

Comedy

ପରିବା ଦର

ପରିବା ଦର

1 min
305


ବଜାରକୁ ଯାଇ ଦେଖିଲି ଯାହା ମୁଁ

କା’ ଆଗେ କହିବି ମିତ

ଦର ଦାମ ଯାହା ହେଇଛି ସଖୀ ଲୋ

ଜ୍ୟେଷ୍ଠରେ ମାଡୁଛି ଶୀତ !

ଘରଣୀ ବରାଦ କରିଦେଇଛନ୍ତି

ଆଣିଥିବ ସବୁଥିରୁ

ପକେଟେ ହାଲତ ଜାଣି ବି ଅଜଣା

ରାଗେ ଖାଲି ଗାରୁ ଗାରୁ ।

ଆଗ ଗଲି ଆଣି ପରିବା ପାଇଁ ମୁଁ

ବଡ ଥଳିଟିଏ ଧରି

ପରିବା ଦର ତ ଆକାଶ ଛୁଆଁ ଲୋ

ପଚାରି ଆସିଲି ଫେରି ।

ଆଳୁ ବାଇଗଣ ଖାଇବାର ଶକ୍ତି

ଚାକିରିଆଙ୍କର ନାହିଁ

ପିଆଜ ରସୁଣ କଥା ପଚାରେନା

କାର୍ତ୍ତିକ କରିବି ମୁହିଁ !

ବିଲାତି, ମଟର, କୋଶଳା, କଖାରୁ

ସବୁ ଅପରୂବ ଅଟେ 

ଜହ୍ନି, କୋବି କଥା କି ଅବା କହିବି

ଖାଇଲେ ପେଟକୁ କାଟେ !

ଠଣ୍ ଠାଣ୍ କରି ଟଙ୍କା ଗଣିଦେଇ

ବ୍ୟାଗ ଟା ଦେଲି ବଢେଇ

ଝପ୍ କରି ମୁଠେ ପରିବା ସେଥିକୁ

ଦୋକାନୀ ଦେଲା ପକେଇ ।

ଆଖି ତରାଟିକି ଚାହିଁଲି ତା’ ଆଡେ

“କଅଣ କରୁଛ ଭାଇ

ପଇସା ନେଉଛ ଦି’ ଆଞ୍ଜୁଳାଏ

ମୁଠାଏ ପରିବା ପାଇଁ !”

ପାନଖିଆ ଦାନ୍ତ ଦେଖେଇ କହିଲା

“ସାର୍ ମୁଁ କରିବି କିସ !

ଦରମା ଟଙ୍କାରେ ପରିବା ଖାଇଲେ

ନିଶ୍ଚେ ହେବେ ହରକତ !

ପରିବା ଖାଇବା ବଡଲୋକି କାମ

ନୁହେଁ ତୁମ ଆମ କଥା

ମାଛ ମାଂସ ଦର ଶୁଣିଦେବେ ଯଦି

ବଢିଯିବ ଛାତି ବ୍ୟଥା !”

ଭାବିଲି ପରିବା ନହେଲେ, ନହେଉ

ନେବି ଭଳି ଭଳି ଡାଲି

ଦୋକାନ ପଟାରେ ଦର ଦେଖୁ ଦେଖୁ

ମୁଣ୍ଡ ବାଡେଇ କାନ୍ଦିଲି ।

ସେପଟକୁ ଥିଲା ଫଳମୂଳବାଲା

ହରଷେ ଡାକିଲା ମତେ

ଛେପ ଢୋକିବାକୁ ବେଳ ପାଇଲିନି

ଦାମ କହିଲା ସେ ଯେତେ ! 

ମାସର ପହିଲି ସପ୍ତାହରୁ ମୋର

ଅବସ୍ଥା ଦେଖୁଛୁ ତୁହି

କେମିତି ବିତିବ ଆଗାମୀ ସପ୍ତାହ

ଉପାୟ ଦେଏ ବତେଇ ।

କଅଣ ନେବି ମୁଁ, କଅଣ ଖାଇବେ

ପିଲାପିଲି ଏବେ ମୋର

କେମିତି ଚଳିବେ ଦରମା ଟଙ୍କାରେ

ମୋ ଭଳିଆ ଅଫିସର !

ପାଣି ବିଲ୍ ଆଉ ବିଜୁଳିର ବିଲ୍

ତା’ ସାଙ୍ଗକୁ ଘରଭଡା

କାହାର ପାଲିଙ୍କି ଉପରେ ଛତା, ମୋ

ବେଡି ଉପରେ କୋରଡା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy