ଭଡ଼ାଘର
ଭଡ଼ାଘର
ଘରଣୀଙ୍କ ଇଚ୍ଛା ଘରଟେ କରିବେ
ରାଜଧାନୀ ଗୋଡିମାଟିରେ
ବୟସ ବିତିଛି ପାରାଭାଡି ପରି
ଛୋଟ ଭଡାଘର ଭିତରେ ।
ଲାଇଟ୍ ପାଣିର କଟକଣା କେତେ
ଦିନରାତି ଶୁଣି କାନ
ଆଖିରୁ ନାକରୁ ପାଣି ବୁହାଇଛି
ସବୁଥିରେ ମାରି ମନ ।
ଭଡା ତ ବଢିଛି ବର୍ଷ ପରେ ବର୍ଷ
ବଢିନି ସୁବିଧା କିଛି
ସୁବିଧା ପାଇଁକି କେବେ ବି କହିଲେ
‘ଛାଡ’ର ନୋଟିସ୍ ମିଳିଛି !
ପାଟି କରିବନି, କଥା କହିବନି
ଗାଇବନି କେବେ ଗୀତ
ଭଡାଘର ପାଇଁ ମାନିବାକୁ ହୁଏ
କେତେ ଅଲିଖିତ ସର୍ତ୍ତ !
ଗାଆଁରେ ରହିଛି କେତେ ଘରବାଡି
ଅଗଣା ଦାଣ୍ଡ ଦୁଆର
ସେସବୁ ଛାଡିକି ରହିଲେ ଏଇଠି
କିଲିବିଲି ହେବା ସାର ।
ଚାକିରି ସରିଲା, ଦାୟୀତ୍ବ ସରିଲା
ଅବସର ହେବ ନେବା
ହାତକୁ ଆସିଲେ ସବୁତକ ଟଙ୍କା
ନିଜ ଘର ଗଢେଇବା ।
ଜାଗାଟିଏ କିଣ ଦେଖିଚାହିଁ କରି
ସବୁକିଛି ଥିବ ପାଖେ
ସାହି ପଡିଶାରେ ଲୋକ ଭଲ ଥିବେ
ସାହା ହେବେ ସୁଖ ଦୁଃଖେ ।
ହାଟ ବଜାରକୁ ପାଖ ହେଉଥିବ
ପାଖ ବି ଡାକ୍ତରଖାନା
ରେଳ ବସ୍ ଅଟୋ ଥିବ ଯଦି ପାଖେ
ଚଞ୍ଚଳ ଦେବ ବଇନା ।
ଘର ଚାରିକଡେ ଲଗେଇବା ଗଛ
ପିଜୁଳି ଆମ୍ୱ ସେପେଟା
ପଛକୁ ରଖିବ ଦୁଇ ହାତ ଜାଗା
ଶାଗ ଶିମ୍ୱ ହେବ ପୋତା ।
ବଡ ଘର ବେଶି ଦରକାର ନାହିଁ
ଢେର ଚାରିଟି କୋଠରି
ପିଲାଏ ଆସିଲେ ସେପଟେ ରହିବେ
ନଥିବ ଚିନ୍ତା ଆମରି ।
ବୁଲି ବୁଲି ବାବୁ ପାଇଲେ ଶେଷରେ
ରାଜଧାନୀ ଉପକଣ୍ଠେ
ସବୁ ଓରିମାନା ପତ୍ନୀଙ୍କ ମେଣ୍ଟିବ
କହିଲା ହସି ଏଜେଣ୍ଟ ।
ଖୋଲା ମେଲା ବାୟୁ ପାଇବ ଅମାପ
ନାହିଁ ଭିଡ ଭାଡ ବେଶି
ଅଫିସ୍ ଟା ଟିକେ ଦୂର ହେବ ସିନା
ବାକି ସବୁ ପାଶେ ଅଛି ।
ବହୁ ଭାବିଚିନ୍ତି ବଇନା ଦେଇକି
ଆସିଲେ ଘରକୁ ଫେରି
ପତ୍ନୀଙ୍କୁ ଜଣେଇ ଖୁସିର ଖବର
ବାହାବା ପାଇବେ ଭାରି ।
ଜାଗା କିଣାହେଲା, ଘର ବନାଯିବ
ଆଖିରେ ସପନ ଭରା
କିନ୍ତୁ ସେ ଏଜେଣ୍ଟ ହୋଇଲା ଅଦୃଶ୍ୟ
ଦେଲା ନାହିଁ ଆଉ ଧରା ।
ଦଉଡି ଦଉଡି ଥାନାକୁ ହାଲିଆ
ବାବୁ ହେଲେ ରାତିଦିନ
ମନସ୍ତାପ ଯେତେ ହେବା କଥା ହେଲା
ହାତରୁ ସରିଲା ଧନ ।
ଆଶ୍ବାସନା ଦେଇ ପତନୀ କହିଲେ
ଭାଙ୍ଗି ପଡିଲେ କି ହେବ
ଯାହା ଯିବା କଥା ଯାଇ ସାରିଲାଣି
ଆଉ ଠାଏ ଏବେ ଖୋଜ ।
ବହୁ ଅମଙ୍ଗରେ ପୁଣି ଥରେ ବାବୁ
କିଣିଲେ ଜାଗାଟେ ଯାହା
ରାଜଧାନୀ ନାଁରେ, ଗାଁ ଘର ଠାରୁ
ହାତେ ଦୂରେ ଥିଲା ତାହା ।
-0-
