ଭାରତର କନ୍ୟା
ଭାରତର କନ୍ୟା
ମୁଁ ଭାରତର କନ୍ୟା; ଦାମିନୀ ବି ମୁଁ
ମୁଁ ହିଁ ନିର୍ଭୟା ।
ରୋଗାକ୍ରାନ୍ତ ମାନସିକତାରେ
ପହଁରୁ ଥିବା ଏ ସମାଜରେ
ଜନ୍ମେ – ମରେ ସହସା ।
କେବେ ବେଆଇନ ଭ୍ରୂଣହତ୍ୟାରେ
ତ କେବେ କାହା ଅଶ୍ଳୀଳ ଇଙ୍ଗିତରେ ।
ନିତିନିତି ମରେ – ସବୁ ବେଳେ ମରେ ।
ପୁଣି ବଞ୍ଚି ଉଠେ
ଠିକ୍ ଗୋଚର ଭୂଇଁର ଘାସ ପରି
- ମହମବତି ଆଲୋକରେ;
ଏକ ସୁସ୍ଥ ସକାଳର ସମ୍ଭାବନାରେ ।
ଜୀର୍ଣ୍ଣ-ଶୀର୍ଣ୍ଣ ଆଶା ସବୁ ଜରାର ଚାଦର ଆଡେଇ
ଧୀରେ ଧୀରେ କଅଁଳି ଉଠେ
ସେଇ ମହମବତୀ ର ଉଷ୍ଣତା ପରଶରେ ।
କିନ୍ତୁ, କାହିଁ ?
ସେ ସମୟ ତ ଏ ଯାଏଁ ଆସିନି ।
ମାନବର ମାନବିକତା - ଜାଗିନି !!
କାଲି ଯାଏ ସଂପର୍କର ସୁଅ ଥିବା ମୋର ପ୍ରତିଟି ରୂପ
ଆଜି ଗାଳି ସାଜି ସମାଜର ପୌରୁଷତ୍ଵ ଦର୍ଶାଉଛି ।
ଆଉ ଲଜ୍ଜା ଓ ବିତୃଷ୍ଣାରେ ମୋ ମୁଣ୍ଡ ନଇଁବାର ଦେଖି
ପୁରୁଷତ୍ଵ ଗର୍ବରେ ମୁଣ୍ଡ ଟୁଙ୍ଗାରୁଛି ।
ଅବଶ୍ୟ ସେ ଏକା ଦୋଷୀ ନୁହେଁ;
ଯେ କରିଛି ମୋ ଠାରେ ଅନ୍ୟାୟ ।
ସେ ବି ଦୋଷୀ - ମୂକ ସାକ୍ଷୀ;
ଯିଏ ମାଗି ନାହିଁ ନ୍ୟାୟ ।
ଶେଷ ବେଳେ ସଂଗ୍ରାହୀ ମୋର ପ୍ରତିଟି ସାମର୍ଥ୍ୟ
ନିଜ ଅସ୍ତିତ୍ଵ ଜଗିବାକୁ ମାଗୁଛି ସାହାଯ୍ୟ ।
ଭୁଲନା ହେ ଆର୍ଯ୍ୟ;
ଏହି ଆର୍ଯ୍ୟବର୍ତ୍ତର ଇତିହାସ
ନାରୀ ଅବମାନେ କି ଭଳି ଘଟିଛି ବିନାଶ ।
ସ୍ମରି ରଖ ସେହି ବୈଦିକ ବାର୍ତ୍ତା –
“ଯତ୍ର ନାର୍ଜ୍ୟେସୁ ପୂଜ୍ୟନ୍ତେ, ରମନ୍ତି ତତ୍ର ଦେବତା।”
ସର୍ବଂସହା ମୁଁ ତୁମ ମାନବୀୟ ଆତିଥ୍ୟରେ
ନଚେତ ଦୁଷ୍ଟ ସହ ଲଢିପାରେ ସିଂହ ସବାରିରେ ।
ବିଳମ୍ବ ହେଲାଣି ବହୁ ତଥାପି କହୁଛି
ସମ୍ଭାଳି ନିଅ ନିଜକୁ ଅନ୍ୟଥା କାଳ ହସୁଛି ।
