ଡାକେ କିଏ ହାତ ଠାରି
ଡାକେ କିଏ ହାତ ଠାରି
କୃପଣ ବୋଲି ମୁଁ କାର୍ପଣ୍ୟ କଲ କି
କରୁଣା ସାଗର ସାଇଁ
ସୁଖ ପାରାବାର ତୀରେ ମୁଁ ତଥାପି
ଦୁଃଖର ନିଥର ଭୂଇଁ।।
ସଞ୍ଚିଥିଲି ଯାହା ପାଈ ପାଈ କରି
ସବୁ ସରିଗଲା ବୋଲି
ଯା'ଲାଗି ଦୁଆର ଜଗି ବସିଥିଲି
ଲାତ ମାରି ଦେଲେ ଠେଲି
ମଝି ଦରିଆକୁ ସୁଅ ମୁହାଁ ନାଆ
ପାରିକର ଭାବଗ୍ରାହୀ।।
ପେଟକାଟି ପାଟ ଯା'କୁ ଅରପିଲି
ଥାଟବାଟେ ହେଲା ବଣା
ପେଟ ଚାଖଣ୍ଡକୁ ଭଣ୍ଡେଇଛି ବୋଲି
ଜାଣି ବି ହୁଏ ଅଜଣା
ତୁମେ ତ ଜାଣିଛ ସବୁକିଛି ନାଥ
ଅଜଣା ହୁଅ କିମ୍ପାଇଁ।।
ନୀଡ଼ ହୁଡ଼ିଗଲେ ଆକାଶ ଅଜଣା
ବାହୁଡ଼ିବା ବାଟ ବଣା
ଦିନ ଗଲା ଗଡି ବାଟ ଗଲି ହୁଡ଼ି
ପାଏନା ନିଜ ଠିକଣା
ତଥାପି କାହିଁକି ମନ ମୋ ଖୋଜୁଛି
ପୁରୁଣା ଦିନର ଛାଇ।।
ଆଖିମେଲି ଆଜି ଚାହିଁବି ଭାବୁଛି
ଯେତେ ଦୂର ଦେଖିହେବ
ଦିଶୁନାହିଁ ବୋଲି ଦେଖିବିନି ଯଦି
କେମିତି ବା ଦେଖାଯିବ
ଆଜି ବି ଲାଗୁଛି, କେହି ତ କେଉଁଠି
ବସିଛି ମୋ ବାଟ ଚାହିଁ।।
ଡାକେ ଠାରି ହାତ ମୋ ଗାଆଁ ସଡ଼କ
ସାଳନ୍ଦୀ ନଈର ତୁଠ
ନଈ ଏ ପାରିର ଆମ୍ବ ତୋଟା ମାଳ
ଅବା ସେପାରି ର ହାଟ
ଜୀଇଁଥିବା ଯାକ ଜୀବନର ଛାପ
ନହେଲେ ମଶାଣି ଭୂଇଁ।।
