କାଳିଆ ରେ
କାଳିଆ ରେ


ଅତି ଆପଣାର ଲାଗୁଛୁ
କାଳିଆ ରେ.....
ଅତି ଆପଣାର ଲାଗୁଛୁ।
ଆତ୍ମୀୟ ସୋଦର ବନ୍ଧୁ ପରିବାର
ଏକରୂପ ପରି ଦିଶୁଛୁ।।
ପିତା ପରି ପାଳୁ ବିପଦୁ ସମ୍ଭାଳୁ
ଆପଦ ଦେଇ ଆଡେଇ
ମାଆ ପରି କେବେ ସେନେହ ସାଇତା
ପଣତ ଦେଉ ଘୋଡେଇ
ଯେଉଁ ରୂପେ ତୋତେ ଭାବେ କାଳିଆରେ
ସେହି ରୂପେ ମୋତେ ଦିଶୁଛୁ।
ଅତି ଆପଣାର ଲାଗୁଛୁ।।
କେତେବେଳେ ତୋତେ ନିଉଛାଳି ହୁଏ
କେତେବେଳେ କରେ ମାନ
କେବେ ଅନୁନୟ ଆଗ୍ରହ ବିନୟ
ସବୁଥିରେ ସନମାନ
ଆପଣାର ବୋଲି ସବୁ କହେ ଖୋଲି
ସବୁ କଥା ପରା ଜାଣିଛୁ,
ଆପଣାର ପରି ଲାଗୁଛୁ।।
ଜାଣି ବି ଅଜଣା ହେବୁ ଯଦି ନାଥ
କା ଆଗେ କହିବି ଦୁଃଖ
ଏ କାଳେ ଅକାଳ କରି କୃପାବଳ
ହୋଇଲୁ ନାଥ ବିମୁଖ
କରୁଣା କଣା ରୁ ଊଣା କରିବାକୁ
ଭାବି କି ଅଭାବ କରୁଛୁ।।
କରେ କର କରି କରେ ମୁଁ ଗୁହାରି
କରନା କରୁଣା ବଞ୍ଚିତ
କୃପା କରେ କରି ଦୁରିତୁ ନିସ୍ତାରି
ପାରିକର କଳା ମାଣିକ
ମୋ ଆପଣାପଣ କୁ ସତେ କି କାଳିଆ
ପରଖି ନିରେଖି ଦେଖୁଛୁ।।
*************************