ମୋ ପ୍ରିୟ ଗାଆଁ
ମୋ ପ୍ରିୟ ଗାଆଁ
ଏଇ ଯେ ଆକାଶ ମାଟିରେ ବୁଣଇ ସ୍ବପ୍ନ
ମୋ ଗାଆଁ ବୁକୁରେ ଋତୁ କନ୍ୟା ର
କେତେ ଅଭିସାର କଟେ
ତନୁରେ ତନୁରେ କୋଟି ସୁଷମା ର ବର୍ଣ୍ଣ
ମୋ ଗାଆଁ ପଣତେ ଆଷାଢୀ ଆକାଶ ଲୋଟେ
କେତେ ଯେ କଦମ୍ବ ଫୁଟେ
ଫୁଲେଇ କେତକୀ ବାସ୍ନା ଛୁଟାଏ
ଏ ପବନ ଗାଏ ଗୀତ
ହାତ ଧରା ଧରି ବଉଳ ,ମକର, ମିତ |
ଆଶ୍ୱିନ ର ଓଠେ ଭରା କାଶ ଫୁଲ ହସ
ଶୀତ ସକାଳ ର ଓଦା ଜୁଡୁବୁଡୁ ବେଶ
ନାଲି ନାଲି କେତେ ପଦୁଅଁ ଫୁଲ ର ହାଟ
ଶାନ୍ତ ପାହାଡ଼ , ସବୁଜ କ୍ଷେତ ର ହାଟ
ନଈ ପଠା ତଳେ ଚଳନ୍ତି ନଈ ର ସୁଅ
ପଲ୍ଲୀ କିଶୋରୀ ହଳଦୀ ରେ ମାଜେ ଦେହ
ଗଭା ରେ ସଜେଇ ସଜ ଫୁଟା ଫୁଲ ମାଳ
ସକାଳ ସୁରୂଯ ବୟସୀ ମେଘ ର ଖେଳ |
ମନେପଡେ ସବୁ ସୁନେଲି ସନ୍ଧ୍ୟା
ଅତୀତ ଜୀବନ ସ୍ମୁତି
ଝୁମି ଝୁମି ଆସେ କଜଳ ଫୁଲିଆ ରାତି
ଆଈମା କୋଳରେ ଗପ ଶୁଣୁ
ନିଦର ଆଉଁଷା ହାତ
କଲୁରେଇ ବେଣ୍ଟ ଚାରି ସଙ୍ଗାତ ର କଥା
ଅସୁରୁଣୀ ବୁଢ଼ୀ ପୁରାଣ ର ରାମ ସୀତା |
ଅଣଓସାରିଆ ସେଇ ଗାଆଁ ଦାଣ୍ଡେ
ଲୋଟି ଲୋଟି ପଡେ ମୁକୁଳା ବକୁଳ ବିଥି
ଏ ଧୂଳି ତ ମୋର ଅନେକ ଋତୁ ର ସାଥୀ
ଲୁଚକାଳି ଖେଳ ପ୍ରଜାପତି କଙ୍କି ଉଡ଼ା
ବୋଉ ହାତ ଗୁନ୍ଥା ଯୁଇ ଜାଇ ଫୁଲ ତୋଡ଼ା
ମୋ ଗାଆଁ ଦାଣ୍ଡେ ବାଉଁଶ ରାଣୀ ର ଖେଳ
ଗୋପାଳ ବାଳକ ବଇଁଶୀ ବଜାଇ ଫେରେ
ଛୋଟ ଚଉପାଢ଼ୀ ଉଚିତ ବିଚାର କରେ |
ଶାଗୁଆ ପାଚେରୀ ଗହଳ ବହଳ ତୋଟା
ଜହ୍ନ ରାଇଜ ଟି ଦେଖାଏ ତା ରୂପ ଛଟା
ଏଇ ଗାଆଁ ବୃନ୍ଦାବନ
କରେ ମତେ ଆଲିଙ୍ଗନ
ଜନ୍ମ ଜନ୍ମ ର ଏ ଅତୁଟ ବନ୍ଧନ
କୋଟି ତପସ୍ୟା ର ପୂଣ୍ୟ |