ଜହ୍ନରେ ତୋଳିବା ଘର
ଜହ୍ନରେ ତୋଳିବା ଘର
ମାଆ ଡାକୁଥିଲା ଜହ୍ନକୁ
ପୁଅ ସାଥେ ଖେଳିବାକୁ
ଏଵେ ପୁଅ କହୁଛି
ଜହ୍ନରେ ତୋଳିବା ଘର
ଭଲ ଲାଗୁନାହିଁ ପୃଥିବୀର ପାଣି ପବନ
ନଦୀ ସମୁଦ୍ର ଗାଁ ସହର
ପୁଅ ବିଦେଶ ରେ ପାଠ ପଢୁଛି
ବିକା ହେଉଛି ପୁରୁଣା ଘର
ଆମ୍ବ ବଗିଚା ତଳ ପୋଖରୀ
ସୁନା ଫସଲ ର କିଆରୀ
ମାଆ ର ପୁରୁଣା ଘର କରଣା
ବେଳେବେଳେ ବିକି ଦେଉଛି
ଓଜନିଆ ସୁନା ଗହଣା
ପୁଣି ଥରେ ଆଦରି ନେଉଛି
ସକାଳ ସଞ୍ଜ ଚଉରା ପୂଜା ତୁଳସୀ ମାଳି
ଶାଗ ପଟାଳି
କୂଅ ମୂଳ ପେନ୍ଥା ପେନ୍ଥା ନଅର କୋଳି
ଗୁହାଳ ର ଗାଇ ବାଛୁରୀ
ଶୁଆ ଶାରୀ ପଞ୍ଜୁରୀ
ଛାଇ ନିଦରେ ମାଆ ସପନ ଦେଖୁଛି
ଜହ୍ନ ରାଇଜର ଝିଅ ରୂପା ମୁକୁଟ ନାଇଛି
ଓଢଣୀ ଭିତରେ ହସୁଛି
ହୀରା ନୀଳା ମୋତି ମାଣିକରେ
ଘର ପୁରିଛି
ଫୁଲ ମାନଙ୍କ ହସ ଖୁସି
ପ୍ରଜାପତି କଳସ ବସାଉଛି
ବୁଲବୁଲ ଗାଉଛି ଗୀତ
ଆକାଶ ରୁ ଖସୁଛି ମୁଠା ମୁଠା ପାରିଜାତ
ମାଆ ବିଭୋର ହେଉଛି
ଅଗଣା ରେ ଝୋଟି ଆଙ୍କୁଛି ଦୀପ ଜାଳୁଛି
ସାହି ଭାଇ ବନ୍ଧୁ କୁଣିଆ
ଭୋଜି ଭାର ଆସର
ପୁଅ ପରା ଜହ୍ନରେ ତୋଳିଛି ଘର ।
