STORYMIRROR

Manjurani Mishra

Classics

4  

Manjurani Mishra

Classics

ହାଇଦ୍ରାବାଦ ରେ ଶୀତ

ହାଇଦ୍ରାବାଦ ରେ ଶୀତ

1 min
302

   


ହାଇଦ୍ରାବାଦ ର ଶୀତ ସକାଳ

ମସଜିଦ  ସେ ପାଖରୁ  କରମର୍ଦ୍ଦନ କରେ

ଅଳସେଇ  ଖରା  ପୁଏଁ

ପଞ୍ଚ ତାରକା  ହୋଟେଲ ଛାତରେ

ହାଇଦ୍ରାବାଦ ର ଶୀତ ଦୌଡୁ ଥାଏ

କଂକ୍ରିଟ ଜଙ୍ଗଲ ରେ

ପାହାଚ  ପାହାଚ ଡେଇଁ କରାଘାତ  କରେ

କାଚ  ଝରକା ରେ |

ସକାଳ ର ମୁଠା  ମୁଠା  ଶୀତ ଖରା

ବିଦେଶୀ ଫୁଲ କୁ ଛୁଏଁ

ଖଣ୍ଡିଉଡ଼ା ଦୁଃଖ ମାନଙ୍କୁ

ଏକାଠି  ଗୋଟାଉ ଥାଏ  ଧୂଆଁଳିଆ

ଶୂନ୍ୟ ପ୍ରାନ୍ତର ରେ

ଝୁଣ୍ଟୁ ଥାଏ  ଶୀତ ବୁଲା ବିକାଳି ମାନଙ୍କ

ଗହଳି  ଭିତରେ

ଧୂଳି  ଧୂସରିତ  ଝୁମ୍ପୁଡ଼ି ବସ୍ତି ରେ

ଶୀତ ପୁଣି ଲୁଚକାଳି ଖେଳେ

ରେଶମୀ  ପୋଷାକ ପିନ୍ଧା 

କୁନି କୁନି ପିଲାଙ୍କ ସାଥୀରେ |

ଜରି  ଗୋଟାଳି ଝିଅ ର

ଅଧା ଖୋଲା  ପିଠି  ଆଉ ଚିବୁକ  ଓଠକୁ

ଶୀତ ଖରା  ଚୁମୁଥାଏ  ବାରମ୍ବାର

ଛୋଟ  ଛୋଟ  ହାତ ପାପୁଲିରେ

ସ୍ବପ୍ନ ସବୁ  ଲୋଚାକୋଚା

ମାଆ ର ତାଗିଦା

ଆଉ କିଛି  ରୋଜଗାର 

ଜୀବନ  ଜୀବିକା ପାଇଁ

ତେଲ ଲୁଣ ର ସଂସାର |

ଶୀତ ଆସେ  ନିଛାଟିଆ  ସ୍ମୁତି ମାନଙ୍କୁ

ଏକାଠି  ଗୋଟେଇ ଥାକ  ଥାକ  କରି

ଏକୁଟିଆ ପାରା ଟିଏ ଘୁମୁରିଲା ପରି

ହାଇଦ୍ରାବାଦ ର ଶୀତ ଗପ  କରେ  

ପାର୍କ ରେ କି  ରାସ୍ତା ରେ

ଘାସ ର ଗାଲିଚା  ରେ

ବାଉଗନଭିଲିଆ ଫୁଲ ଙ୍କ ସାଥୀରେ

ଆଉ କେବେ

ନାଲି ନେଳି ନିଅନ ଆଲୁଅ ତଳେ

କଫି ହାଉସ ର ନିଭୃତ  କକ୍ଷ ରେ

ମଦହୋସ ବର୍ଣ୍ଣିଳ ଦୃଶ୍ୟ ରେ

ବିମୋହିତ ହୋଇ

ଆଉ କିଛି  ଖୋଜୁଥାଏ

ମେଘ  ଆଉ କୁହୁଡି ର

ବଳୟ ଭିତରେ  ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics