ହସକୁରି ଜହ୍ନ
ହସକୁରି ଜହ୍ନ
କଣ ବୁଝେ ଏଇ ଜହ୍ନ
ଦେହର ଦହନ
ଭିଜା ମନ ପ୍ରୀତିର ପ୍ଲାବନ
ମାଟିରୁ ଆକାଶ ଯାଏ ଯୋଜନ ଯୋଜନ ।
ଜ୍ୟୋସ୍ନାର ଫରୁଆ ଖୋଲି
ସାରାରାତି ହସୁଥାଏ
ଫଗୁଣ ର କାନଭାସ ପରେ
ବୈଶାଖ ର କ୍ଲାନ୍ତି ବୋଳି
କଣ ପାଏ ଏଇ ଜହ୍ନ
ଭେଟି ଦିଏ କୁଢ଼ କୁଢ଼
ସ୍ମୃତିର ଚୁମ୍ବନ ।
ବିଭାବରୀ କଡ଼ ଲେଉଟାଏ
ନିଝୁମ ରାତିର ସ୍ବପ୍ନ କିଛି ବାକିଥାଏ
ଆକାଶ ଟା ହାଇ ମାରେ
ଚକୋରୀର ଲୁହର କବିତା
ଲିଭିଯାଏ ଦହନ ର ପାଉଁଶ ଭିତରେ ।
ଦହନ
ଜୀବନର କିଛି ଅଧାଲେଖା ବ୍ୟାକରଣ
ଦହନ
ପ୍ରେମ ପ୍ରଣୟର ଅକୁହା ସ୍ପନ୍ଦନ ।