ବିଶ୍ଵଗତ ଚେତନା
ବିଶ୍ଵଗତ ଚେତନା
ବିଶାଳ ବିଶ୍ଵକୁ ଆବୋରିଛି ମୋର
ସତ୍ତା ଯେ ବିଶାଳତର
ମହାକାଳ,ମହାଶୂନ୍ୟକୁ ଦେଖଇ
ମୋ ଆତ୍ମାଟି ବାରମ୍ବାର।
ଦେବ ଓ ଦାନବ,ଭୂତ, ପ୍ରେତ, ସୂକ୍ଷ୍ମ
ଶରୀରଧାରୀ ବି ମୁହିଁ
ଝିଲିମିଲି ତାରା, ବେଗ ବାୟୁର ମୁଁ
ସଭିଙ୍କୁ ଯାଏ ଯେ ଛୁଇଁ ।
ପରମ ଯତ୍ନରେ ପାଳୁଛି ବିଶ୍ବକୁ
ପ୍ରକୃତିର ବାସସ୍ଥଳୀ
କେତେ ରୂପ,ରଙ୍ଗେ ଦିଶନ୍ତି ସୁନ୍ଦର
ଜୀବ ତା ' ଭଳି କି ଭଳି।
ଜୀବନ ସଂଗ୍ରାମେ ସର୍ବ ଜୀବ ମୁଁ ତ
ପ୍ରତ୍ୟକ୍ଷ ଅବା ପରୋକ୍ଷେ
ଦେହଟି ଛାଡ଼ିଲେ ମୁକ୍ତ ହୋଇ ଆତ୍ମା
ମିଳେ ଶାଶ୍ଵତ ସମକ୍ଷେ।
ଆନନ୍ଦ,ଉଚ୍ଛ୍ଵାସ ଦେଖି ପୃଥିବୀର
ହୁଏ କେବେ ଶିହରିତ
ଲକ୍ଷ ଲକ୍ଷ ଜୀବ ଯନ୍ତ୍ରଣାକୁ ସହି
ହୁଏ ଏକାକୀ ଦୁଃଖିତ ।
ଏକାତ୍ମ ହୁଅଇ ସକଳଙ୍କ ସାଥେ
ତଥାପି ନୁହେଁ ତ ବନ୍ଦୀ
ସବୁଠି ମୁଁ ଥାଏ, କେଉଁଠି ନଥାଏ
ପାରେନା ତ କେହି ଛନ୍ଦି।
ଶୁଣେ ଆବାହନ ଏ ସାରା ବିଶ୍ବର
କରଇ ଦୁଃଖ ମୋଚନ
ଅବିନଶ୍ଵର ଚେତନାର ମୂଳ
ଆବାସକୁ ଆରୋହଣ।
ଅତିକ୍ରମ କରି ଚାଲିଛି ଜୀବନ
ବିରାଟ ଡେଣାଟିଦ୍ଵାରା
ମହାକାଳକୁ ବି ଜିଣିଛି ଅଚିରେ
ବୁଲଇ ସଂସାର ସାରା।
ଜାତ ଓ ଅଜାତ ସହ ଆତ୍ମୀୟତା
ବୃଦ୍ଧି ପାଇ ହୁଏ ସୁଖୀ
ମୃଣ୍ମୟ ମଧ୍ୟରେ ଚିନ୍ମୟ ଚେତନା
ବିକଶିତ ନିତି ଦେଖି ।
