ଈଶ୍ବରୀ
ଈଶ୍ବରୀ
ମହକି ଉଠେ ମୋ' ହୃଦୟ
ମହମହ ବାସେ ମନ ଅଗଣାଟି
ଚନ୍ଦନ, ତୁଳସୀର ପବିତ୍ର ମହକରେ
ତୁମ ଆତ୍ମୀୟତାର ହସରେ, କଥାରେ
ସ୍ନେହସିକ୍ତ ପ୍ରୀତି ଥିବା ନୀରବତାରେ ।
ଅବିରତ ଦେଖେ ଦେବୀରୂପ ତୁମ
ତେଜମୟ ପ୍ରାତଃ ହେଉ କି ସ୍ୱର୍ଣ୍ଣିମ ସାୟାହ୍ନ
ତୁମପାଖେ ଅଭିଯୋଗ, ଅଭିମାନ କେତେ
ଅନୁରାଗ ଶ୍ରଦ୍ଧା ତୁମପାଇଁ ଆଜୀବନ
ପୂଜ୍ୟା ସଦା ତୁମେ ଅପ୍ରମିତ, ତୁମେ ଅବିଛିନ୍ନ ।
ତୁମ ପାଶେ ଉପଲବ୍ଧି କରେ
ପୁଷ୍ପ ର କୋମଳତା, ଶକ୍ତିର ଉପଯୋଗିତା
ଆପଣାର କରିବାର ସରଳପଣ
ଧୈର୍ଯ୍ୟ ର କଳା, ନମ୍ରତାର ସୁନ୍ଦରତା
ସହନଶୀଳତାର ଗୁଣ, ପ୍ରଚଣ୍ଡ ସାହସିକତା ।
ଗୁଣମନ୍ଦିର ତୁମେ, ରୂପ ମାତ୍ର ମୁଖଶାଳାଟିଏ
ହସର ପ୍ରସାଧନେ ନିଜକୁ ସଜାଇପାର
ଖୁବ୍ ସହଜରେ ଲୁହ ବି ଲୁଚାଇପାର
ଦୟାମୟୀ, ସ୍ନେହମୟୀ ମଣିଷଟେ ତୁମେ
ନିଜ ହସରେ କେତେ ଆଖି ଜଳ ଶୁଖାଇପାର ।
ଈଶ୍ବରୀ ନୁହେଁ ତ ଆଉ କିଏ..!
ତୁମ ସ୍ମରଣେ ଦୁଃଖ ଭୁଲିହୁଏ
ହସଦେଖି ତୁମ ଆପେଆପେ ଲୁହ ପୋଛିହୁଏ
ବିଷାଦର ବହଳ ଅନ୍ଧାରରେ ବି
ତୁମ ଉପସ୍ଥିତିରେ ସୁଖର ସୂର୍ଯ୍ୟ ଉଦୟ ହୁଏ ।
ତୁମେ ଏମିତି ମନରେ ଥାଅ
ଦେବୀ ରୂପେ ଏହି ଆତ୍ମା, ହୃଦୟରେ
ହେ ଈଶ୍ବରୀ ହସର ଆଶିଷ ବାଣ୍ଟୁଥାଅ
ତୁମ ସୁଖର ଆୟୁଷ ହେଉ ଅସରନ୍ତି
ପବିତ୍ରରୂପରେ ଏ ମନେ ପୂଜା ପାଉଥାଅ।
