STORYMIRROR

Sarojini Mishra

Classics

4  

Sarojini Mishra

Classics

ମକର ଆସୁଛି

ମକର ଆସୁଛି

1 min
325

ପର୍ବପର୍ବାଣୀର ଦେଶ ମୋ ଭାରତ

ପରମ୍ପରାରେ ସେ ଯୁକ୍ତ 

କେତେ ବାର୍ତ୍ତା ନେଇ ଆସେ ଆମପାଇଁ

ଜୀବନ ସଙ୍ଗେ ଜଡିତ ।


ମକର ଆସଇ ପତରେ ପତରେ

କାକର ବିଦାୟୀ ହୁଏ

ମକରୁ ବକର ସୂର୍ଯ୍ୟଙ୍କ କିରଣ

ବିଜ୍ଞାନ ଭୂଗୋଳ କହେ ।


ମକର ଆସଇ ସୁରୂଜ ଦେବଙ୍କ

ଉତ୍ତରାୟଣ ବାର୍ତ୍ତାରେ

ଦିବ୍ୟ ସମୟ ଏ ମୃତ୍ୟୁ ପାଇଁ ପରା

ଆତ୍ମା ଯେ ସଦ୍‌ଗତି ଲଭେ ।


ଭୀଷ୍ମ ପିତାମହ ଶରଶଯ୍ୟା ମଧ୍ୟେ

ଉତ୍ତରାୟଣକୁ ଅପେକ୍ଷା

ଜୀବନ ମୁକ୍ତିର ଚରମ ଗାଥା ଏ

କିଏ କରିବ ଉପେକ୍ଷା ।


ମକର ଆସୁଛି ଶୀତ ଦୋହଲୁଛି

ସୂର୍ଯ୍ୟ ରଶ୍ମୀ ତୀକ୍ଷ୍ଣ ହେବ

ଦିନ ବଡ଼ ହେବ ଆସ୍ତେ ଆସ୍ତେ ପୁଣି

ସଭିଙ୍କ ମନେ ଆନନ୍ଦ ।


ମକରେ ଫେରନ୍ତି ଲକ୍ଷ୍ମୀ ସାଆନ୍ତାଣୀ

ବାପ ଘରୁ ଶ୍ରୀମନ୍ଦିରେ

କୃଷକ ଖଳା ଯେ ଲକ୍ଷ୍ମୀ ପାଦେ ଶୋଭା

ମନ ତା ନାଚେ ଅଧୀରେ ।


ବାର ସଂକ୍ରାନ୍ତିରୁ ମକର ଗୋଟିଏ

ସଭିଙ୍କୁ ଆନନ୍ଦ ଦିଏ

ଏହି ଦିନଠାରୁ ଶୁଭ କର୍ମ ଯେତେ

ଆରମ୍ଭ ଯେ ହୋଇଥାଏ ।


ମକର ଆସୁଛି ଶ୍ରୀମନ୍ଦିରେ ପରା

ମକର ଚୌରାଶୀ ବେଶ

ଆହାକି ସୁନ୍ଦର ମୋ ତିନି ଠାକୁର

ଦେଖି ଦେଲେ ମନ ତୋଷ ।


ମକର ଆସୁଛି ଦିବ୍ୟ ବ୍ୟଞ୍ଜନର

ମହ ମହ ବାସ ନେଇ

ମକର ଚାଉଳ ସ୍ଵତନ୍ତ୍ର ବ୍ୟଞ୍ଜନ

ସ୍ନେହ ଶ୍ରଦ୍ଧା ପରଶଇ ।


ଅରୁଆ ଚାଉଳ କ୍ଷୀର ଖୁଆ ଛେନା

କେତେ ଫଳ ସମାହାର

ବାସ ଯୁକ୍ତ କେତେ ମସଲା ପଡ଼ି ଯେ

ଅପୂର୍ବ ସ୍ଵାଦ ତାହାର ।


ମକର ଆସୁଛି ଟୁସୁ ପଙ୍ଗଲକୁ 

ପାହାଡ଼ ଜଙ୍ଗଲ କୋଳେ

ଆଦିବାସୀଙ୍କର ଆନନ୍ଦ ଉଲ୍ଲାସ

ମାଦଲର ଶବ୍ଦ ଶୁଭେ ।


ମକର ଆସୁଛି ଗାଁରେ ସହରେ

ଭାଇଚାରା ବାର୍ତ୍ତା ନେଇ

ଆନନ୍ଦ ଉଲ୍ଲାସେ ଧରା ପୁରିଯିବ

ମନେ ଆନନ୍ଦ ପୁରଇ ।


ମକର ଆସୁଛି ନୀଳ ଆକାଶରେ

ରଙ୍ଗ ବେରଙ୍ଗ ଗୁଡ଼ିରେ

ସହର ବଜାରେ ପ୍ରତିଟି ଛାତରେ

ଉଲ୍ଲାସର ସ୍ରୋତ ଛୁଟେ ।


ସତେ ଅବା ଗୁଡ଼ି ଉପରକୁ ଯାଇ

ସୂର୍ଯ୍ୟ ଦେବଙ୍କୁ କହୁଛି

ସର୍ବ ଶକ୍ତିମାନ ହେ ସୁରୂଜ ଦେବ

ଧନ୍ୟବାଦ ମୁଁ ଦେଉଛି ।


ଆଦିତ୍ୟଙ୍କ ଠାରୁ ସମାନତା ବାର୍ତ୍ତା

ଧରାକୁ ନେଇ ଆସୁଛି

କର୍ତ୍ତବ୍ୟ କର୍ମରେ ନଥକିବା ପାଇଁ

କାନେ କାନେ କହୁଅଛି ।


ମକର ଆସୁଛି ବକର କିରଣେ

ନିରଳସ ବାର୍ତ୍ତା ନେଇ

ଜୀବନ ତତ୍ତ୍ଵର ଆନ୍ତରିଣ ବାର୍ତ୍ତା

ସଭିଙ୍କୁ ଯାଏ ପରଶଶି ।


ମକର ଆସୁଛି ଇଷ୍ଟ ପୂଜନରେ

ସୂର୍ଯ୍ୟ ଶିବ ପୂଜନରେ

ମହମହ ବାସେ ମୋ ଠାକୁର ଘର

ମନ୍ଦିରେ ବି ବାସ ଛୁଟେ ।


ଆହେ ସୂର୍ଯ୍ୟଦେବ ଶକ୍ତିର ଆଧାର

ଶକ୍ତିର ସଞ୍ଚାର କର

କର୍ମ କର୍ତ୍ତବ୍ୟର ମନ୍ତ୍ର ଦେଇଦିଅ

ବିଶ୍ଵକୁ ସୁନ୍ଦର କର ।

    


.


Rate this content
Log in

Similar oriya poem from Classics