STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ମକର ଲୋ ମକର

ମକର ଲୋ ମକର

1 min
252


କୋଇଲି ଡାକିଲା କୁହୁ ମକର ଲୋ

ଆମ୍ଵ ବନ ବଉଳିଲା

ମକର ଲୋ ଆମ୍ଵ ବନ ବଉଳିଲା,

ଦକ୍ଷିଣ ଦିଗରୁ ମଳୟ ପବନ ମନ୍ଦଗତିରେ ଝରିଲା।


କୀଆ କେତକୀର ମୁକୁଳା ଗରଭେ

ଫୁଲ କଢ ମହକିଲା, ମକର ଲୋ

ସରେ ସରୋଜ ଫୁଟିଲା,

ଉଡିଲେ ଭ୍ରମର ପ୍ରଜାପତି ଦଜ

ବସନ୍ତ ଋତୁ ଆସିଲା ।


ବାଉଳା ଦକ୍ଷିଣା ପବନ ସଙ୍ଗରେ

ଗୁଡି ଉଡିଉଡି ଯାଏ, ମକର ଲୋ

ହସ ଖୁସି ଲାଗିଥାଏ,

ସୋରିଷ ଫୁଲର ବିପଣୀ ବୀଥିକା

ମନ ଚହଲାଇ ନିଏ ।


ମକର ପରବ ଆମ ସ୍ମୃତି ଚିହ୍ନ

ଯେବେ ଆସଇ ମକର, ମକର ଲୋ

ସେହି ଦିନୁ ତୋର ମୋର,

ଭାବ ଦିଆ ନିଆ ମନ ମିଶିଗଲା

ସବୁ ଆମେ ଆପଣାର ।


ସାରା ପୁରପଲ୍ଲୀ ଆନନ୍ଦ ଉତ୍ସବ

ମକର ଆସେ ଯେ ଦିନ, ମକର ଲୋ

ଜାତୀୟ ଦେବତା ଆମ

ଚତୁର୍ଦ୍ଧା ମୁରତି ଜଗନ୍ନାଥ ହେବେ

ଅଭିଷେକ ମହାସ୍ନାନ ।


ଠାକୁର ରାଜାଙ୍କ ରାଜ୍ୟାଭିଷେକରେ

ଶ୍ରୀ ନଅର ଛନ ଛନ, ମକର ଲୋ

ରାତି ଲାଗେ ଯଥା ଦିନ,

ମକର ବୁଡରେ କଟିଥାଏ ପାପ

ପ୍ରାରବ୍ଧର ଅପକର୍ମ ।


ଆମ ଧର୍ମ ସଂସ୍କୃତିର ସଂସ୍ଥାପକ 

ବିବେକାନନ୍ଦ ଜନମ, ମକର ଲୋ

କବି ଫକୀର ମୋହନ,

ଜନମ ତିଥି ଏ ଜାତୀୟ ଜୀବନ

ସାହିତ୍ୟ ସଂସ୍କୃତି ପ୍ରାଣ ।


ସାହିତ୍ୟ ସଂସ୍କୃତି ପ୍ରାଣ କେନ୍ଦ୍ର ଦୁଇ

ମହାପୁରୁଷରେ ମହୀ, ମକର ଲୋ

ଧନ୍ୟ ତାଙ୍କୁ ଜନ୍ମଦେଇ

ଉଜ୍ଜୀବିତ କଲେ ବିଭାସିତ ହୋଇ

ଆମ ଭାଷା ଧର୍ମ ପାଇଁ ।

 

ଆଜି ସଂକ୍ରମଣେ ଦକ୍ଷିଣକ୍ରାନ୍ତିରୁ

ଉତ୍ତରାୟଣରେ ରବି, ମକର ଲୋ

ପୁଲକିତ ହୁଏ ଉର୍ବୀ

ତାଙ୍କରି ଗତିରେ ଆସିବ ବସନ୍ତ

ରୁଚିର ଛବିଳ ଛବି ।


ଦାନ ଧର୍ମ ପୂଣ୍ୟ ସତ୍ୟ ସୁଧା କର୍ମ 

ମନ୍ତ୍ର ପାଠ ହୋମ ଯଜ୍ଞ, ମକର ଲୋ

ନର ଜନ୍ମ ହେବ ଧନ୍ୟ

ନବ ଜାଗରଣ ସମ୍ଭାବନା ଉର୍ଜା

ଜ୍ଞାନ ହୂଏ ଉଦ୍ଗିରଣ ।


କୃଷିଭିତ୍ତିକ ଏ ମକର ପରବ

ନୂଆ ଅରୁଆ ଚାଉଳ, ମକର ଲୋ

କଦଳୀ ନଡିଆ କ୍ଷୀର,

ଘିଅ ମହୁ ଅଦା ପ୍ରସ୍ତୁତ ଭୋଗର

ପ୍ରିୟ ଜଗନ୍ନାଥଙ୍କର ।


ଭାରତୀୟ ମୁନି ମହର୍ଷି ମନିସୀ

ବେଦ ସଂସ୍କୃତି ବିଧାନ, ମକର ଲୋ

ଆମ ଜାତୀୟ ଜୀବନ,

ବିଶ୍ଵରେ ଆଦୃତ ଭାରତବର୍ଷକୁ

କରିଅଛି ମୁହ୍ୟମାନ ।


 













 


 









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics