ସେହି ମୋ ପ୍ରିୟ ଜନମ ମାଟି
ସେହି ମୋ ପ୍ରିୟ ଜନମ ମାଟି
ସେହି ମୋର ପ୍ରିୟ ଜନମ ମାଟିଟି
ସବୁଠାରୁ ଅଟେ ପ୍ରିୟ
ତାର ଦାଣ୍ଡ ଧୂଳି ଚନ୍ଦନର ଭଳି
ବାସୁଥାଏ ମହ ମହ ।
ଜନମ ହୋଇଲି ମାତୃ ଗର୍ଭୁ ଯେବେ
ବଢ଼ିଲି ମୁଁ ତା କୋଳରେ
ମାଆ, ଜନ୍ମଭୂମି, ଆଉ ମାତୃଭାଷା
ବଡ଼ ଅଟେ ଜୀବନରେ ।
କୁନି କୁନି ପାଦେ ଚାଲି ଶିଖିଲି ମୁଁ
ଗୁରୁଣ୍ଡି ଗୁରୁଣ୍ଡି ଧାଏଁ
ତଳେ ପଡିଗଲେ ରାହା ଧରି କାନ୍ଦେ
ମାଆ ମୋ କୋଳେଇ ନିଏ ।
ଗୋଡ଼ କଚାଡି ମୁଁ କେତେ ଖେଳିଅଛି
ଚାଲିଛି ତା ଛାତି ପରେ
ତା ବଣ ବୁଦାରୁ ଖାଇଅଛି କୋଳି
ତୋଳି କେତେ ଆନନ୍ଦରେ ।
ତା ନଦୀ ପାଣିରେ କେତେ ଗାଧୋଇଛି
ବାଲିରେ ତୋଳିଛି ଘର
ନଈକୂଳ ସୁଲୁସୁଲିଆ ପବନ
ମନ କିଣିନିଏ ମୋର ।
ଗାଆଁ ଗାଇ ଗୋଠ, ପୋଖରୀର ତୁଠ
ଆମ୍ବ ତୋଟା ରଜ ଦୋଳି
ପଢା ବେଳର ସାଙ୍ଗ ସାଥୀଙ୍କ କଥା
କେବେ ପାରିବି ନି ଭୁଲି ।
ବିଦ୍ୟାଳୟ ଅଟେ ସବୁଠାରୁ ପ୍ରିୟ
ଶିକ୍ଷାକେନ୍ଦ୍ର ଜୀବନର
ମଣିଷ ଗଢିବା କାରଖାନା ସିଏ
ଗୁରୁ ଅଟନ୍ତି ଈଶ୍ୱର ।
ସାଙ୍ଗ ସାଥୀ ହୋଇ ସାରୁ ପତରରେ
କଙ୍କି ଆଉ ପାରା ଧରି
ଉଡାଇ ଦେଇ ମୁଁ ଆକାଶରେ ତାଙ୍କୁ
ହସୁଥାଏ କିରିକିରି ।
କୁଆଁର ପୁନେଇଁ ଚାନ୍ଦ ବନ୍ଦାପନା
ସାଙ୍ଗ ସାଥୀଙ୍କ ମେଳରେ
ପୁଚି ଖେଳ, ଫୁଲ ବଉଳ ବେଣୀର
ଗୀତ ବୋଲିଣ ଦାଣ୍ଡରେ ।
ମାଆ ମାଟି ମୋର ସର୍ବ ସଂହା ଅଟେ
ଦାନ ତା ତୁଳନା ନାହିଁ
ସରଗଠୁ ବଡ଼, ମହୀୟାନ ଅଟେ
ମୋହରି ଜନମ ଭୂଇଁ ।
