ସଦାଚାର
ସଦାଚାର
ମଣିଷ ବୋଲି ମୁଁ ମଣିଷ ଭିତରେ
ମଣିଷପଣିଆଁ ଖୋଜେ,
ଯହିଁ ପାଏ ଖୋଜି ତହିଁ ରହେ ମଜ୍ଜି
ନପାଇଲେ ଆଖି ଭିଜେ।।
ମନ ହୁଏ କ୍ଷୀନ୍ନ ଦେଖେ ଯହିଁ ନିମ୍ନ
ଆଚରଣ କାହା ଠାଇଁ,
ରହି ହୁଏନାହିଁ ସହି ହୁଏନାହିଁ
କିଛି କହି ହୁଏ ନାହିଁ।।
ମହତ ଜନର ଚଲାପଥ ହୁଏ
ସବୁରି ପାଇଁ ସୁପଥ,
ମହତ ଲୋକର କଲା କର୍ମ ହୁଏ
ସୁକର୍ମେ ପରିଗଣିତ।।
ଯେଉଁ ଆଚରଣ ପିଢ଼ିରୁ ପିଢ଼ିକୁ
ସହଜେ କରେ ଧାରଣ,
ପିତା ପ୍ରପିତା ରୁ ପୁତ୍ର ପୌତ୍ର ଯାଏ
ପରିବ୍ୟାପ୍ତ କରେ ଗୁଣ।।
ସେଆଚରଣ କୁ ସଦାଚାର କହେ
ସେ କର୍ମ ମହତ କର୍ମ,
ସେହି ଆଚରଣେ ମାନବ ଜୀବନ
ଜଗତେ ହୁଅଇ ଧନ୍ୟ।।
ସତ ପଥ ଗାମୀ ଲଭଇ ପ୍ରଶଂସା
ସଦାଚାରୀ ଲଭେ ଯଶ,
ଅସଦାଚରଣେ ବିପଥ ଗମନେ
ଦୁରାଚାରୀ ଯାଏ ନାଶ।।
ଆଚାରେ ବିଚାରେ ଅବା ବ୍ୟବହାରେ
ସବୁରି ପ୍ରିୟ ଭାଜନ,
ଏକା ସଦାଚାରୀ ସତ୍କର୍ମ ପୂଜାରୀ
ଲଭେ ସର୍ବତ୍ର ସମ୍ମାନ।।
ଆଚରଣ ପୂତ ବିଚାର ପବିତ୍ର
ଚିତ୍ତେ ଚିରକାଳ ରହୁ,
ମାନବିକତାର ମୂଲ୍ୟବୋଧ ବଳେ
ଜଗତେ ଯଶସ୍ୱୀ ହେଉ।।