STORYMIRROR

Dr Baman Chandra Dixit

Classics

4  

Dr Baman Chandra Dixit

Classics

କବିତା ଗୋ ତୁମେ

କବିତା ଗୋ ତୁମେ

1 min
17

କବିତା ଗୋ ତୁମେ ଆସୁନ କାହିଁକି

ଆଗପରି ରସେ ରସୁନ କାହିଁକି

ଅବା ମାନମାରି କି'ବା କୋପକରି

ରୁହ ଅପସରି କୁହନା କାହିଁକି!!


ସକାଳର ସଜ କାକର ଟୋପାରେ

ଅଳି କଳିକାର କୋମଳ ପେନ୍ଥାରେ

ରଙ୍ଗ ରାଗ ଗନ୍ଧ ମଧୁର ମହକେ

ମୋହେ ମହମହ ବାସୁନ କାହିଁକି।


ତନ୍ଦ୍ରାଶକ୍ତ ଆଖି ପଲକ ଉଠେଇ

କେତେ କଥା କାନେ କାନେ ଯାଅ କହି

ଆଖି ମଳି ମଳି ଖୋଜିଲେ ତୁମକୁ

ଯାଅ ଅପସରି ଦିଶୁନ କାହିଁକି।


ମଧୁର ଅଧରା ସୁଧାଧାର-ଧରା

ପ୍ରୀତି ପାରାବାର ବିସ୍ତୀର୍ଣ୍ଣ ପ୍ରଖରା

ସ୍ବପ୍ନେ ସମ୍ମୋହନ ଦାହେ ଦହ ଦେହ

ଜାଗରଣେ ଜାଳି ଯାଉନ କାହିଁକି ।


ତରଳ ତାଳ ର ସୁଢଳ ଛନ୍ଦରେ

ପ୍ରୀତି ବେଷ୍ଟନୀର ନିବିଡ଼ ବନ୍ଧରେ

ଲୟ ଲିପ୍ତ ଉପମିତ ଅଳଙ୍କୃତ

ଚମତ୍କୃତ ରୂପ ରଚୁନ କାହିଁକି!


ଯମକର ଝମ ଝମ ଝନକାରେ

ପାଦ ପାଉଁଜିର ଛମଛମ ସ୍ୱରେ

ପଦଚାପ ଥାପ ଥାପି ଧୀରେ ଧୀରେ

ହୃଦରେ ଅଧିର କରୁନ କାହିଁକି।


ମୃଦୁ ମନ୍ଦ ଛନ୍ଦ ଆଳାପର ସୁରେ

ପିପାଷା ପୁରିତ କମ୍ପିତ ଅଧରେ

ଅଧିର ହୃଦରେ ଅବା ଧମନୀରେ

ଆବେଗ ର ବେଗ ଭରୁନ କାହିଁକି!


କବି ତାର କବିତାରେ ଜୀଏ ମରେ

ଆଳାପରେ ଝରେ ବିଳାପରେ ଝୁରେ

ହେଲେ ତୁମ ବିନା ବାଆଁରା କଲମ

ଆଙ୍ଗୁଳି ମଝିରେ ବସିଛି ଚାହିଁକି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics