ରାମ ତୁମେ ପାରିକର
ରାମ ତୁମେ ପାରିକର
ରାମ ରାଇଜ କି ଆସିଲା ଭାଇ
ଜୟ ଶିରୀ ରାମ ନାରା ଲଗେଇ
ରାଜନୀତିଆଙ୍କ ବଡ ଶକତି
ଗାଆଁ ଗାଆଁ ଖେଳେଇଲେ ଭକତି
ରାମମୟ ହେଲା ଧରା
ଦେଖିକି ଏ ଗତି ରାବଣ ପ୍ରଜାତି
ଧୋତିରେ କଲେଣି ଝାଡ଼ା।।
ସାପକୁ ନେଉଳ କଲାଣି ଗେହ୍ଲ
ବାଘ ଜଗିଲାଣି ଛେଳିଙ୍କ ପହ୍ଲ
ମସଜିଦ ରେ ବି ବାଜିଲା ଘଣ୍ଟି
ନମାଜି ପଢ଼ନ୍ତି ମନ୍ତର ରଟି
ଦେଖିକି ଲାଗୁଛି ଡର
ଭୂତ ପ୍ରେତ ଭୟ ଛାଡି ପଳେଇବ
ବାଗେଶ୍ବର ନାମ ଧର।।
ରେଜେଇ ଖୋଜେଇ ଶୀତ ବେଳକୁ
ଖଞ୍ଜିଣି ବଜେଇ ଗୀତ ବେଳକୁ
ଜାଗରକୁ ଶିବ ମନ୍ଦିର ରଙ୍ଗା
ନଈ ବଢି ବେଳେ ଖୋଜିଲେ ଡଙ୍ଗା
ବାହାଘର ହେଲା ପାଖ
କାଲି ପୋତିଥିଲି ବାଇଗଣ ଗଛ
ଫଳ ଫଳିଲା କି ଦେଖ।।
ଧୋତି ଫାଡ଼ିକରି ରୁମାଲ କଲି
ରାଜନୀତି ଵାଲା କମାଲ କଲି
ମନ୍ଦିର ମସଜିଦ ଗୀର୍ଜାଘର
ପ୍ରାର୍ଥନା ନମାଜ ଅବା ପ୍ରେୟାର
ସବୁଠି ହେଲି ହାଜର
ତଥାପି କାହିଁକି ଠିକଣା ବେଳକୁ
ପଡୁନି କାହା ନଜର!
ଶଠ ମୁଖେ ରାମ ମଠରେ ରାମ
ରାଜନୀତିଆଙ୍କ ଓଠରେ ରାମ
ରାମ ବିନା କିଛି କାମ ହଉନି
ନ ପୂଜିବା ଲୋକ ପୂଜା କଲାଣି
ରାମ ତୁମେ ପାରିକର
ରତ୍ନାକର ଯେତେ ବାଲ୍ମୀକି ହେବାକୁ
ହଉଛନ୍ତି ହଡ଼ବଡ଼।।