ଘାସ ଫୁଲ
ଘାସ ଫୁଲ
ସେବା ହିଁ ବାସେ ମହକାଇ
ଚଉଦିଗ ମଳୟ ଖେଳାଇ
କାରଣ ଯେଉଁଠି ସବୁ ସରିଯାଏ
ଠିକ୍ ସେଇଠାରୁ ହିଁ ଆରମ୍ଭ ହୁଏ
ସମ୍ଭାବନାର ଅଙ୍କୁରିତ ହେବାର ମହୋତ୍ସବ ଟିଏ।
କେବେ ଦେଖିଛ ସେ ଘାସଫୁଲର ଗାଲିଚାକୁ
ଯିଏ ନିରନ୍ତର ପଦଦଳିତ ଅପରର ବିଳାସ ନିମନ୍ତେ,
ଯେଉଁଠି ଅହଙ୍କାରର ଉଏଁ ନାହିଁ ସୂର୍ଯ୍ୟ
କି ନିଜ ସେବକପଣର ଭାଙ୍ଗେନାହିଁ ଧୈର୍ଯ୍ୟ
ଯଦି ଥାଏ କେବଳ ନିଜକୁ ନିଗାଡ଼ି ଦେବାର ଅଭିମାନ ଟିକେ
ସେବ୍ୟ ମାତ୍ରେ ସଭିଙ୍କର ଉଶ୍ୱାସ ନିମନ୍ତେ।
କେବେ ଉଫ୍ କରି ଘୁଞ୍ଚିନି ସେ କେବେ
କେବେ ଢ଼ାଳି ନାହିଁ ଅଶ୍ରୁ କେଇ ବୁନ୍ଦା
ପ୍ରତିଟି ପାଦକୁ ଯେବେ ନିଏ ସେ କୋଳେଇ
ଅନୁଭବେ ପୂର୍ଣ୍ଣ ଶାନ୍ତିର ଅପୂର୍ବ ସମ୍ପଦା।
ମାଟିର କୋଳକୁ ଭିଡ଼ି ଯହିଁ କ୍ଷୁଦ୍ରତ୍ଵର ଦିଏ ପରିଚୟ
ଆକାଶର ସ୍ଵପ୍ନ ଭୁଲି ସେବାରେ ତା ଚିତ୍ତ କରେ ଲୟ
ମଥା ନଇଁ ପ୍ରମାଣିତ କରେ ନିଜ ମହନୀୟତାର
ସେ ପାଇଁ ସୁନ୍ଦର ଦିଶେ ତା ସବୁଜ ଦେହ।
ଜନ୍ମ ତାର ସେବା ପାଇଁ ଚିହ୍ନିଛି ସମ୍ୟକେ
ନୀରବେ ସେ ସେବିଚାଲେ ନ କରି ବିଦ୍ରୋହ
ହାରିବା ଜିତିବା କଣ ସଂଜ୍ଞା ସେ ଜାଣେନା
ସମର୍ପଣ ବ୍ରତ ତାର ନ ଥାଏ ସନ୍ଦେହ।
