ତୁମେ ମୁଁ(୬)
ତୁମେ ମୁଁ(୬)


ତୁମେ କଳ୍ପନାର ଲେଖା ରେଖାଚିତ୍ର
ମୁଁ ଗୋ ଅପଲକ ନେତ୍ରାବଲୋକନ
ତୁମେ ଚଞ୍ଚଳ ପ୍ରବାହ ମହ ମହ
ମୁଁ ଗୋ ଅବରୁଦ୍ଧ ନିଃଶ୍ବାସ ପବନ।।
ତୁମେ ବକୁଳର ମୁକୁଳିତ ବାସ୍ନା
ମୁଁ ଗୋ ବ୍ୟାକୁଳ ପ୍ରବାହ ପବନର
ମନ୍ଦ ମାଦକ ମହକ-ବାହକ ର
ସମ୍ମୋହନେ ସମ୍ମୋହିତ ସହଚର।।
ଟୋପେ କାକରକୁ ଟିପ ଉପରେ ଗୋ
ରଖି ଦେଖୁଦେଖୁ ତୁମେ ଦିଶିଗଲ
ଧିରେ ଧରୁଧରୁ ଧାରାଦେଲ ନାହିଁ
ଅଧର ପାଖକୁ ଆସି ଖସିଗଲ।।
ଖସିପଡୁଥିବା ଚୂର୍ଣ୍ଣ କୁନ୍ତଳକୁ
ବିଶିଆଙ୍ଗୁଳିରେ ଟେକି ବାରବାର
ବାରଣ କରନା ସିଏ ମାନିବ କି
ପୟ ପିଇଛି ଯେ ପ୍ରିୟ ଅଧରର।।
ଧିକ ସେ ଜୀବନ ଯିଏ କଳିନାହିଁ
ବଳେ କୋଳେଇ ନେବାର ଶିହରଣ
ବୁଝିନାହିଁ ଯଦି ପ୍ରିୟା ପ୍ରୀତି ଭଙ୍ଗୀ
ବାରଣ-ବାହାନା ପ୍ରୀତି ଆମନ୍ତ୍ରଣ।।
ନାଶା ପୁଟୀକାରୁ ନିର୍ଗତ ଶ୍ବାସର
ଉଷୁମ ପରଶ ଛାତି ଛୁଇଁ ଗଲା
ବାହୁ ବନ୍ଧନୀରେ ତୁମ ଦେହ ଦାହ
ଦେହେ ଦେହେ ଶିହରଣ ଦେଇ ଗଲା।।
ତୁମେ କଳସୀ ଛଲକା ପାଣି ପରି
ଖସିଯାଉଥିଲ ହାତ ପାହାନ୍ତାରୁ
ଧରାଦେବାର ଇଶାରା କରିଗଲ
ଜିତିଗଲି ପ୍ରୀତିବୃତ୍ତି ହାରୁ ହାରୁ।।
ତୁମେ ପ୍ରତିଶୃତି ସୁପ୍ତ କାମନାର
ମୁଁ ଗୋ ପ୍ରତିକ୍ଷା ଜାଗ୍ରତ ପ୍ରହରର
ଅପସରି ପୁଣି ପାଶେ ଆସ ଫେରି
ତୁମେ ପ୍ରେୟସୀ ମୁଁ ତୁମ ପ୍ରିୟବର।।
ଶତ ଜନ୍ମର ସହସ୍ର ଉପାସନା
ଉପାଦେୟ ଅବା ଏକ ଉପପାଦ୍ୟ
ତୁମ ବିନା ଅପୂର୍ଣ୍ଣ ମୋ ଅବସ୍ଥିତି
ମୁଁ ଗୋ ଖଣ୍ଡବାକ୍ୟ ତୁମେ ପୂର୍ଣ୍ଣଛେଦ।।