STORYMIRROR

Rasmita Dixit

Abstract Romance

2  

Rasmita Dixit

Abstract Romance

ଚାଲ ଆଜି ପଛକୁ ଫେରିବା -୧

ଚାଲ ଆଜି ପଛକୁ ଫେରିବା -୧

2 mins
174


ଜହ୍ନ ଅଗଣାରେ ତାରା ମାନଙ୍କ ଝୋଟି


କିଏ ଆଙ୍କିଛି କେଜାଣି !


ନା , ଆଉଥରେ ଲେଖିହୁଏ


ନା,ଚେଷ୍ଟା କଲେ ଲିଭାଇ ହୁଏ 


ବୟସ ସହ ଶିଥିଳତାର ସମ୍ପର୍କ ବୋଧେ ଖୁଵ ବେଶି


ତେଣୁ ଆଜି ଚାଲ ,ରାତ୍ରୀର ଚାଦର ତଳେ


ଟିକେ ପାଖାପାଖି ବସିବା


ପାଦେ ପାଦେ ସମୟର ପଛକୁ ଫେରିବା


ବନ୍ଧନହୀନ ସମୟକୁ ପୁଟୁଳିରୁ


ଫିଟାଇ ଆଣିବା


ଆକାଶର ତାରା ମାନଙ୍କୁ ମୁଠେଇ ଆଣି


ପାହାଡ଼ ସେପାରି ଆମ ଗାଁର


ଡେଙ୍ଗା  ତାଳଗଛ, ବରଗଛ ଦେହରେ ଖଞ୍ଜିବା ।


କେତେ ସହଜ ନୁହେଁ ?


ସମସ୍ୟା ଯେତେବେଳେ ନିଜେ ସମାଧାନ


ସେଇ ବୟସରେ ମିଛ ବସା ବାନ୍ଧି


କାଗଜ ଦଙ୍ଗାରେ ଆମ ନାଁକୁ ଲେଖିବା


ଗାଁ ଗୋହିରୀରେ ବାଟ କାଟି ଚାଲୁଥିବା


ସରୁ ସୁଅରେ ତାକୁ ଭସାଇ ଦେବା ,


ବଉଦ ଉହାଡରେ ଉଙ୍କି ମାରୁଥିବା


ବିଜୁଳି କନ୍ୟାର ଧାରେହସ


ଆମ ଓଠରେ ମାଖିବା


ଧୂଳି ଘର , ବାଲି ସଢ଼େଇରେ


ସପନକୁ ସତ କରି ମିଛ ଭାତ ,ଡାଲି,


ଛ ଭଜା ର ମହକକୁ ମନ ଭରି ଶୋଷିବା


ଚାଲ !!! ଆଜି ବୟସର ଖୋଳପା ଛଡେଇ


ପ୍ରଜାପତି ପରି ଉଡିବା


ଚାଲ , ଚୁପଚାପ ନ ବସି ଆଖିବନ୍ଦ କରି


ଯୁଆଡେ ମନ ସିଆଡେ ଧାଇଁବା ।


ଗାଁ ମୁଣ୍ଡ ଆମ୍ବ ତୋଟା


ଆମ ସପନର ମହଲ


ବଉଳର ଚାନ୍ଦୁଆ


ସଜାଇ ଦେବା କଳ୍ପନାର ଆମ୍ବଚଣାରେ


ଗଛ ଆଢୁଆଳେ ତୁମର ମୋର


ସାମ୍ନାସାମ୍ନି ହେଲେ ନଜର ଚୋରାଇ


ଡାଆଣିଆ ଖରାବେଳର ତାତିକୁ 


କଞ୍ଚା ଆମ୍ବ , ତେନ୍ତୁଳିର ଲାଳ ଝରା


ତାକରା ଶବ୍ଦରେ ଫୁଟକି ମାରି ଉଡାଇ ଦେବା


ଚାଲ , ତମାମ ଖରାକୁ ବେକେ ପାଣିରେ ବୁଡି


ନଈରେ ଭସେଇ ଦେବା ।


ଆଜି ଟିକେ ପଛକୁ ଫେରିବା


ତୁମ ଗାଁ ବର୍ଷାରୁ ଆମ ଗାଁ ଶୀତ ଯାଏ


ଛୋଟ ଯେତେ ବ୍ୟବଧାନ


ଗୋଲାପୀ ଚିଠିରେ ଭରି


ଜହ୍ନି ଫୁଲ ସଂଜରେ


ଚୁପଚାପ ପଢିବା


ଅବୁଝା ପଣିଆର ନୀରିହ ଦୁଷ୍ଟାମୀକୁ


ଆଉଥରେ ପାଖାପାଖି ଭୋଗିବା


ଜୀବନ ଆଉ କଣ କି ?


ଏକ ଆଉ ଏକ ମିଶି ପୁଣି ଏକ


ତାପରେ ଶୁନ ଏଇ ଛୋଟ କଥାକୁ


ନୁଆଁଣିଆ ନଈ ବନ୍ଧ , ବରଗଛ ଛାଇ ତଳେ


ବସି ଟିକେ ଟିକେ ଭାବିବା 


ଅଛିଣ୍ଡା ଅଙ୍କର ସମାଧାନ କରିବା ।


ରାତି ହେଲେ ତୁମ ଛାତର ଜହ୍ନକୁ


ସାକ୍ଷୀରଖି ସବୁଦିନ ପାଇଁ


ମୋ ଅଗଣାରେ ଟାଙ୍ଗିବା


ମନଇଚ୍ଛା ତାରାଫୁଲ ଆଙ୍ଗୁଠିରେ ନେଇ


ଆକାଶ ଛାତିରେ ଏଠି ସେଠି ଖଞ୍ଜିବା


ପଛକୁ ଫେରିବା ପାଇଁ


ହଜେଇ ଦେଇଥିବା ମନକୁ


ହାତ ଧରାଧରି ହୋଇ ଏବେଠାରୁ ଖୋଜିବା


ଚାଲ , ଭିଡ଼ ଠୁ ଦୁରେଇ ଯାଇ


ନିଜ ନିଜ ଭିତରେ


ଆମ ସ୍ୱପ୍ନମାନଙ୍କୁ ଖୋଜିବା


ଚାଲ , ଟିକେ ପଛକୁ ଫେରିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract