ଭୁଲି ହୁଏନା ସେଦିନ ସଞ୍ଜ
ଭୁଲି ହୁଏନା ସେଦିନ ସଞ୍ଜ
ଶୀତୁଆ ଲଗନ କଥା,
ପାହାଡ଼ ତଳ ଝରଣା କୂଳ
ମନେ ଜଗାଏ ବ୍ୟଥା ।
ହୃଦୟ ଛୁଇଁ ବହୁ ଯେ ଥିଲା
ଧୀର ଶୀତଳ ବାଆ ,
ଗିରି ଚୂଡ଼ାରୁ ଖସିଯାଉଥିଲା
ତପନର କାନ୍ତ ଛାୟା ।
ସବୁଜ ପଣତ ଉଡାଇ ଦେଇ
ହସୁଥିଲା ବନ ,ପ୍ରାନ୍ତର ,
ବକପକ୍ଷୀଏ ଶୁଭ୍ର ମୁକ୍ତା ସମ
ଶୋଭୁ ଥିଲେ କ୍ଷେତ ମଧ୍ୟର ।
ଧୀରେ ଫୁଟୁଥିଲେ ତାରା ଫୁଲ ସବୁ
ଆକାଶର ଛାତି ଛୁଇଁ ,
ଏମିତି ବେଳରେ ତୁମେ ଥିଲ ସାଥି
ମୋଠାରୁ ଦୂରରେ ରହି ।
ପାହାଡ଼ ତଳ କୁଡ଼ିଆ ଘରୁ
ଦିକିଦିକି ଦୀପ ଶିଖା ,
ଯେମିତି ତୁମେ ଆସ ଛପି ଛପି
ଟିକେ ଲୁଚି ଦିଅ ଦେଖା ।
ସ୍ପନ୍ଦନ ରେ ମୋର ଅପୂର୍ବ ଉଲ୍ଲାସ
ଶୀତଳ ଆବେଶ କମ୍ପନ ,
ଓଠ ଛୁଇଁ ମୋର ଝରି ପଡ଼ୁଥିଲା
ଅନାମିକା ପୁଷ୍ପ ଚୁମ୍ବନ ।
ତୁମ ଦୁଇ ଆଖି ସହସ୍ର ଆଖିରେ
ରହିଥିଲା ମତେ ଚାହିଁ ,
ଲାଗୁଥିଲା ସତେ ପବନ ଆସିଛି
ତୁମରି ପରଶ ନେଇ ।
ତୁମ ମିଠା ହସ ପୁରି ରହିଥିଲା
ତମାମ ଶୀତୁଆ ସଂଜରେ ,
ପାଖରେ ନଥାଇ ଛୁଇଁ ପାରୁଥିଲି
ସେଇ ସେ ବିଜନ ବେଳାରେ ।
ଏତେ ନିବିଡ଼ ସେଦିନ ସ୍ମୃତି
ଯାହାକୁ ପାରୁନି ଭୁଲି ,
ମନ ଝରଣାର ଚହଲା ପାଣିରେ
ଖେଳୁଛି ସେ ଲୁଚକାଳି ।

