Niranjan Mishra

Abstract

4  

Niranjan Mishra

Abstract

ଜରରେ ଠାକୁର

ଜରରେ ଠାକୁର

1 min
334



କାଲି ଗାଧୁଆରେ ଆସିଗଲା ଜର

ମୁଣ୍ଡରେ ଢାଳିଲେ ଜଳ

ତିନି ଭୁବନର ଠାକୁର ହୋଇ ସେ

ବାଧିକାରେ ଥରହର ।


ଅଣସର ପିଣ୍ଡି ଆସ୍ଥାନ ହୋଇଛି

ଛାଡି ରତ୍ନ ସିଂହାସନ

ଜରରେ ଥରିବେ ଓଷଧ ଖାଇବେ

ହେବ ନବ ଯଉବନ ।


ପନ୍ଦର ଦିନରେ ଅଣସର ଘରେ

ଚିକିତ୍ସା ତାଙ୍କର ହେବ

ମୋଦକ ଖାଇଲେ ଉପଚାର କଲେ

ଆରୋଗ୍ଯ ଲାଭ ହୋଇବ।


ଦଇତାପତିଏ ବଇଦ ଡକାଇ

କରାଇବେ ଉପଚାର

ନାନା ଉପଚାର କରିବେ ସରବେ

ଜର ହୋଇଯିବ ଦୂର ।


ଫୁଲୁରି ତେଲକୁ ଲଗାଇ ଦେହରେ

ଚେରମୂଳିର ମୋଦକ

ଖାଇ ସୁସ୍ଥ ହେବେ ଜଗତର ନାଥ

ଜାଣିବେ ଜଗତ ଯାକ ।


ବ୍ୟାଧି ମୁକତରେ ଆନନ୍ଦିତ ହୋଇ

ପନ୍ଦର ଦିନ ଉତାରୁ

ନେତ୍ରୋତ୍ସବ ଦିନ ନବ ଯଉବନେ

ଦେଖାଦେବେ ମହାମେରୁ ।


ଦରଶନେ ତାଙ୍କ ହୃଦ ଆହ୍ଲାଦିତ

ହୋଇବ ଭକତଙ୍କର

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିବ

ନୀଳ ଶଇଳ କନ୍ଦର।


ଆଷାଢ ଶୁକଳ ଦ୍ୱିତୀୟା ତିଥିରେ

ହୋଇବ ରଥ ଯାତରା

ଦେବତା ମାନବ ଦାନବ ଗନ୍ଧର୍ବ

ସଭିଙ୍କ ଖୁସି ଆସରା ।


ସ୍ନାନ ଗୁଣ୍ଡିଚା ଏ ନିତ୍ଯଲୀଳା ତାଙ୍କ

ପତିତ ତାରଣ ପାଇଁ 

ପ୍ରାସାଦୁ ବାହାରି ରତ୍ନସିଂହାସନୁ

ପ୍ରଭୁ ଆସନ୍ତି ଓହ୍ଲାଇ ।


ଦରଶନେ ତାଙ୍କ ହରଇ ପାତକ

ଆସରେ ଭକତ ଜନ

ରଥରେ ଦେଖିବ ଠାକୁରମାନଙ୍କୁ

ଆସ ଘୋଷଯାତ୍ରା ଦିନ ।


Rate this content
Log in