ଅଣସରରେ ମହାପ୍ରଭୁ
ଅଣସରରେ ମହାପ୍ରଭୁ
ପ୍ରତୀକ ସ୍ନାନକୁ ଛାଡି
ମଥା ପରେ ହେଲ ଜଳ ଅଜାଡି
ଜଗନ୍ନାଥ ହେ
ଏବେ ବାଧିକା ବସିଛି ମାଡି
ଜଗନ୍ନାଥ ହେ ।
ଭାଇ ଭଉଣୀ ଆୟୁଧ
ତୁମ ସହ କିବା କରିଲେ ବାଦ
ଜଗନ୍ନାଥ ହେ
ସର୍ବେ ଜ୍ୱର ପ୍ରପୀଡିତ ମଧ୍ଯ
ଜଗନ୍ନାଥ ହେ ।
ସ୍ନାନ ମଣ୍ଡପୁ ଆସିଲ
ଅଣସର ଘର ଆପଣାଇଲ
ଜଗନ୍ନାଥ ହେ
ରତ୍ନସିଂହାସନ ପାଶୋରିଲ
ଜଗନ୍ନାଥ ହେ ।
ହେବ ଜ୍ୱର ଉପଚାର
ଷାଠିଏ ପଉଟି ହୋଇବ ଦୂର
ଜଗନ୍ନାଥ ହେ
ଚକଟା ଭୋଗ ପଣା ଆହାର
ଜଗନ୍ନାଥ ହେ !
ଫୁଲୁରୀ ତେଲ ଲାଗିବ
ବାଧିକା ପୀଡା ଆପେ ଦୂର ହେବ
ଜଗନ୍ନାଥ ହେ
ଦଶମୂଳ ମୋଦକ ଖାଇବ
ଜଗନ୍ନାଥ ହେ ।
ଖଳିଲାଗି ସରିଯିବ
ନବଯୌବନେ ଦରଶନ ଦେବ
ଜଗନ୍ନାଥ ହେ
ଉଭା ଅମାବାସ୍ୟା ଆସିଯିବ
ଜଗନ୍ନାଥ ହେ !
ଲାଗି ହୋଇବ ତୁଳସୀ
ଜ୍ଵର ବେଳେ ଦୂରେ ଥିଲେ ପ୍ରେୟସୀ
ଜଗନ୍ନାଥ ହେ
ଘଣ୍ଟ ଘଣ୍ଟା ଦୁଲୁକିବ ଆସି
ଜଗନ୍ନାଥ ହେ ।
ଆଷାଢ ଶୁକ୍ଳ ଦ୍ବିତୀୟା
ଆସୁଛି ଫୁଲିବ ତୁମରି ହିଆ
ଜଗନ୍ନାଥ ହେ
ରଥଯାତ୍ରା ଦେଖିବ ଦୁନିଆ
ଜଗନ୍ନାଥ ହେ ।
ଆହେ ପତିତପାବନ
ରଖିବ ମୋ ପ୍ରଭୁ ସଭିଙ୍କ ମାନ
ଜଗନ୍ନାଥ ହେ
ଦେବ ଦୁର୍ଲ୍ଲଭ ଦର୍ଶନ
ଜଗନ୍ନାଥ ହେ !
