STORYMIRROR

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ଦେଇଦେବ ଚିଠି ଜଗାକୁ

ଦେଇଦେବ ଚିଠି ଜଗାକୁ

1 min
345

କିଏ ଯାଉଛ କି କୁହ ପୁରୀକୁ

 ଟିକେ ଦେଇଦେବ ଚିଠି ଜଗାକୁ।

କହିଥିଲି ବାରବାର

ଆସିବାକୁ ମୋର ଘର,

ଭୁଲା ସିନା ମନ ତାର

ଭାରି ଭଲ ବନ୍ଧୁ ମୋର

ମୁଁ ଯାଇ ପାରୁନି ତା ପାଖକୁ


କିଏ ଯାଉଛ କି କୁହ ପୁରୀକୁ

ଟିକେ ଦେଇଦେବ ଚିଠି ଜଗାକୁ।୧।


ତା ପାଇଁକି ଲଗେଇଛି

ବାଡ଼ିରେ ମୋ ମଲ୍ଲୀ ଫୁଲ,

ଚନ୍ଦନ ବି ରଖିଛି ମୁଁ

ବାସିବ ସେ ଭାରି ଭଲ

ମୁଁ ଚନ୍ଦ୍ରିକା ରଖିଛି ଚୂଳକୁ

କିଏ ଯାଉଛ କି କୁହ ପୁରୀକୁ

ଟିକେ ଦେଇଦେବ ଚିଠି ଜଗାକୁ।୨।


ଖାଇବ ବୋଲି ମୋ ସାଙ୍ଗ

ବୁଣିଛି ବାଡ଼ିରେ ଶାଗ,

ପାରିକି ରଖିଛି ବଡ଼ି

ରଗଡ଼ି ରଖିଛି ମୁଗ

ମୁଁ ଜାଣେ ତା ଖାଇବା ବାଗକୁ

କିଏ ଯାଉଛ କି କୁହ ପୁରୀକୁ

ଟିକେ ଦେଇଦେବ ଚିଠି ଜଗାକୁ।୩।


ରଖି କାଳିଗାଈ କ୍ଷୀର

କରିଛି ଲବଣୀ ସର,

କରିଛି ମୁଁ ପୋଡପିଠା

ରଖିଛି ଖଜା ସାକର।

ମୁଁ ବୁଝିଛି ତା ମନ କଥାକୁ

କିଏ ଯାଉଛ କି କୁହ ପୁରୀକୁ

ଟିକେ ଦେଇଦେବ ଚିଠି ଜଗାକୁ।୪।


ରଖିଛି ହଳଦୀ ପାଟ

ଆସିଲେ ପିନ୍ଧେଇ ଦେବି,

ଭାଙ୍ଗିଛି ବିଡିଆ ପାନ

ଜଗାକୁ ମୁଁ ଖୁଆଇବି।

ମୁଁ କରିବି ଚର୍ଚ୍ଚା ମୋ ବନ୍ଧୁକୁ

କିଏ ଯାଉଛ କି କୁହ ପୁରୀକୁ

ଟିକେ ଦେଇଦେବ ଚିଠି ଜଗାକୁ।୫।


କରିବି ତା ଦରଶନ

ଦେଖିବି କଳାବଦନ,

ତୃପ୍ତ ହେବ ମୋର ମନ

ମିଳିଯିବ କୋଟି ପୁଣ୍ୟ।

ମୁଁ ଧୋଇଦେବି ପାପ ସବୁକୁ

କିଏ ଯାଉଛ କି କୁହ ପୁରୀକୁ

ଟିକେ ଦେଇଦେବ ଚିଠି ଜଗାକୁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract