ଜୀବନ
ଜୀବନ
ବରଷା ଜଳକୁ ସାରୁପତର ତ
ପାରେନାହିଁ କେବେ ରୋକି
ଶରୀରକୁ ଛାଡି ଉଡିଯାଏ ପ୍ରାଣ
ଜୀବନଟା ଉଡା ପକ୍ଷୀ ।
ଭସାବାଦଲକୁ ନାହିଁ ଟି ଭରଷା
ଆଜି ମେଘ କାଲି ଛାଇ
ପାଣି ଫୋଟକା ଏ ମଣିଷ ଜୀବନ
ଆଜି ଅଛି କାଲି ନାହିଁ ।
ଜୀବନର ଗୁଡ଼ି ଉଡୁଛି ଆକାଶେ
ଅଟେଇକୁ ସାଥି କରି
ପବନର ମୋଡ଼ ବୁଲିଗଲେ ଥରେ
ଗୁଡ଼ିକୁ ନହୁଏ ଧରି ।
ମୋର ମୋର କହି ମିଛରେ କାହିଁକି
ଦେଖାଉ ନିଜ ବଡ଼ାଇ
ପକ୍ଷୀ ଉଡିଗଲେ ପଞ୍ଜୁରୀଟି ଶୂନ୍ୟ
ଜଳିବ ତୋହର ଜୁଇ ।
ପାପପୁଣ୍ୟ ଡ଼ାଳ ଜୀବନ ବୃକ୍ଷର
ଆପଣା କରମ ଭାଗ୍ୟ
ପର ଉପକାର ଜୀବେ ଦୟାଭାବ
ଜୀବନେ ଜୀବନ ଯୋଗ୍ୟ ।
ଧନ,ମାନ,ଜନ ସାଥେ ଯିବେ ନାହିଁ
ଗଲାବେଳେ ଯିବ ଶୂନ୍ୟ
ଆସିଥିଲେ ଶୂନ୍ୟ ଥିଲେ କ୍ଷମା ପ୍ରେମ
ଝୁରିବ କୋଟି ପରାଣ ।