ରୂପ
ରୂପ
ହାଡ଼ ମାଂସ ଯୋଡି ଚର୍ମ ହେଲେ ଘୋଡି
ରୂପ ହୁଅଇ ପ୍ରକଟ
ରୂପର ପସରା ଏ ସଂସାର ସାରା
ରୂପେ ଜୀବ ହୁଏ ଜାତ ।
ଧରୀ ରଙ୍ଗ ତୂଳୀ ଯେବେଆଙ୍କେ ବସି
ରୂପ ତୁମ ମନେ ଭାବି
ସବୁ ରଙ୍ଗ ଖାଲି ଲାଗେ ଫିକା ଫିକା
ତୁମେ ତ ଅଦେଖା ଛବି ।
କେମିତି ଆଙ୍କିବି ତୁମେ କାହା ପରି
ରୂପ ବା କାହିଁ ତୁମର
ରୂପ ଥିଲେ ସିନା ଛବି ଆଙ୍କିଥାନ୍ତି
ନିରଞ୍ଜନ ନିରାକାର ।
ତୁମେ ତ ଦେଇଛ ରୂପ ଏ ଜଗତେ
ସଚରାଚର ଜୀବକୁ
ତୁମ ରୂପ ଖୋଜି ପାଇନାହିଁ କେହି
ଆଶ୍ଚର୍ଯ୍ୟ ଲାଗେ ନିଜକୁ ।
ରୂପରେ ଗରବ କରୁଥାଇ ଜୀବ
ଆପଣା ରୂପକୁ ଦେଖି
ରୂପ ଚାଲିଗଲେ ଚିତ୍ତ ଚିନ୍ତା ଜଳେ
ଅରୂପକୁ ବସେ ଖୋଜି ।
ରୂପରେ ଅରୂପ ଅରୂପରେ ରୂପ
ଅପୂର୍ବ ରୂପେ ସମ୍ଭାର
ସେ ରୂପକୁ ନିତ୍ୟ କରିବ ଦର୍ଶନ
ଶୂନ୍ୟ କରିଲେ ଭିତର ।