ଆଜିର ମଣିଷ
ଆଜିର ମଣିଷ
ଆଜିର ମଣିଷ କର୍ମରେ ବିମୂଖ
ଆଳସ୍ୟ ବିଳାସେ ହୋଇଛି ବଶ
ବିପରୀତ ଗୁଣେ ବିପତ୍ତି ଭିଆଣେ
ଦୁର୍ଯୋଗ ସଂଯୋଗେ ଆପଣା ନାଶ (୧)
ଶ୍ରମର କାତରେ ଚଞ୍ଚକତା ବଳେ
ମନ୍ଦ କାରବାରେ ବଦଳାଏ ମତି
ଅନ୍ୟାୟ ଅନୀତି ସୀମା ଲଙ୍ଘି ନିତି
ଆନ ଜନ ଧନ ନେଉଛି ଲୁଟି
ଅଳସପଣରେ ଋଣର କାରଣେ
ହଜିଗଲାଣି ଚା ମନରୁ ହସ
ଆଜିର ମଣିଷ କର୍ମରେ ବିମୁଖ
ଆଳସ୍ୟ ବିଳାସେ ହୋଇଛି ବଶ (୨)
ବିଜ୍ଞାନ ବଳରେ ପ୍ରଗତି ଫଳରେ
ବଦଳିଗଲାଣି ଚାଲିଚଳନ
ସୈାଖିନ ବସ୍ତୁର ଭୋଗର ଆଶାରେ
ରୋଗର ପ୍ରଭାବେ ହାରେ ଜୀବନ (୩)
ଭାଇ ମଧ୍ୟେ କଳି ପରିବାରେ ଚଳି
ସ୍ନେହ ସମ୍ପର୍କକୁ କରିଛି ଛିନ୍ନ
ଉଦ୍ଧତ ପଣରେ ଅହଂ ବହି ମନେ
ଗୁରୁ ଗୁରୁଜନ ମଣୁଛି ନ୍ୟୁନ
ନାହଁ ତା ସଂସ୍କାର,ଆଚାର,ବିଚାର
ବିଶ୍ବାସରେ ଆଜି ବୁଣୁଛି ବିଷ
ବିପରୀତ ଗୁଣେ ବିପତ୍ତି ଭିଆଣେ
ଦୁର୍ଯୋଗ ସଂଯୋଗେ ଆପଣା ନାଶ (୪)
ମାନବିକ ଗୁଣ କରୁଛି ବାରଣ
ରାକ୍ଷସ ପ୍ରକୃତି କରେ ବରଣ
ବୁଦ୍ଧି, ବୃତ୍ତି, ଜ୍ଞାନ ହରାଇ ସମ୍ମାନ
ହିଂସ୍ର ଆଚରଣେ ବିବେକ ଶୂନ୍ୟ (୫)
ଅଳସ ପଣରେ ଶ୍ରମର କାତରେ
ଜୀବନ ପଥରେ ନ ପଡ ଥକି
କଷଣ,ଶୋଷଣ,ଜନ ଉତ୍ପିଡନ
ରାଗ, ଦ୍ୱେଷ,ରୋଷେ ନଯାଇ ଲାଖି
କର୍ମ ସଂସାଧନେ ସମାଜ କଲ୍ୟାଣେ
ହୁଅ ନିୟୋଜିତ, ନକର ଧ୍ବଂସ
ଆଜିର ମଣିଷ, କର୍ମରେ ବିମୁଖ
ଆଳସ୍ୟ ବିଳାସେ ହୋଇଛି ବଶ (୬)
