ଭିଜାମାଟି
ଭିଜାମାଟି
ଆଦ୍ୟ ଆଷାଢରେ ଯେବେ ମଉସୁମୀ
ପୂର୍ବତଟ କରିଦିଏ ଆଦ୍ର
ବିମୋହିତ କରେ ପ୍ରାଣ ଭିଜାମାଟି
ଭୁରୁ ଭୁରୁ ସୁବାସ ସୁଗନ୍ଧ ।
ତୃପ୍ତ ହୁଏ ପଞ୍ଚପ୍ରାଣ ଝାଞ୍ଜି ଖରା
ଡହଡହ ଗ୍ରୀଷମ ପ୍ରବାହୁ
ଘନକୃଷ୍ଣ ମେଘମାଳା ଛାଇଯାଏ
ଆକାଶର ସୁବିଶାଳ ବୁକୁ ।
ପୁଚ୍ଛ ଟେକି ନୃତ୍ୟ କରେ ଆନନ୍ଦରେ
ଉପବନ ବନରେ ମୟୂର
ସବୁଜ ସୁନ୍ଦର ଦିଶେ ବିଲବନ
ଶୁଷ୍କ ପୃଥ୍ବୀ ଧୂଷର ପ୍ରାନ୍ତର ।
ଗ୍ରାମ୍ୟ ସୁଶ୍ରୀ ତରୁଣୀଙ୍କ ଉଲ୍ଲାସରେ
ଉଛୁଳଇ ଗଗନ ପବନ
ପାଳନ କରନ୍ତି ଜନ ମହାନନ୍ଦେ
ରଜପର୍ବ ପୂରା ତିନିଦିନ ।
ଚାଲନ୍ତିନି ଖାଲିପାଦେ କରନ୍ତିନି
ଭୂମିପରେ କର୍ଷଣ ଖନନ
ଘରେ ଘରେ ମହମହ ପୋଡପିଠା
ବାସିଉଠେ ସ୍ୱାଦିଷ୍ଟ ବ୍ୟଞ୍ଜନ ।
ହୋଇ ବେଶ ସୁସଜ୍ଜିତ କୁମାରୀଏ
ଖେଳିଥାନ୍ତି ପୂଚି ରଜଦୋଳି
ତାସ ପଶା ବୋହୁଚୋରୀ କବାଡିରେ
ମାତିଯାନ୍ତି ପିଲା ହୋଇ ମେଳି ।
ନୃତ୍ୟ ଗୀତ ସଙ୍ଗୀତର ସମାରୋହେ
ଚର୍ତୁଦିଗ ଉତ୍ସବ ମୁଖର
ବେଉଷଣ ସୁପ୍ରସ୍ତୁତି କରଇ କୃଷକ
କର୍ମେ ସ୍ଫୁର୍ତ୍ତି ଦିଏ ଅବସର ।
ହୋଇ ସର୍ବେ ଏକମୁଖ ଆନନ୍ଦରେ
ରଜପର୍ବ ପାଳନ୍ତି ଏକାଠି
ଧନ୍ୟ ଆମ ରଜପର୍ବ ଉତ୍କଳ ଐତିହ୍ୟ
ଭିଜାମାଟି ଅପୂର୍ବ ସଂସ୍କୃତି ।