ଯାତ୍ରା
ଯାତ୍ରା
ବାର ମାସେ ତେର ଯାତ୍ରା ଲାଗିରହେ
କାଳିଆ ଠାକୁରଙ୍କର ।
ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟାରୁ
ଚନ୍ଦନ ଯାତ୍ରା ତାଙ୍କର ।
ବାହାର ଚନ୍ଦନ ଏକୋଇଶି ଦିନ
ସରେ ଭଉଁରୀ ଦିନରେ ।
ଭିତର ଚନ୍ଦନ ଏକୋଇଶି ଦିନ
ହୋଇଥାଏ ତାହାପରେ ।
ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ମଣ୍ଡପରେ
ସ୍ନାନ ଯାତ୍ରା ତାଙ୍କ ହୁଏ ।
ଶହେ ଆଠ ଗରା ପାଣିରେ ଗାଧୋଇ
ଜରରେ ପଡନ୍ତି ସିଏ ।
ଆଷାଢ ଶୁକଳ ଦ୍ବିତୀୟା ତିଥିରେ
ଶ୍ରୀଗୁଣ୍ଡିଚା ଯାତ୍ରା କରି ।
ଗୁଣ୍ଡିଚାଘରକୁ ଯାଆନ୍ତି ଠାକୁରେ
ଭାଇ ଭଉଣୀଙ୍କୁ ଧରି ।
ନବଦିିନ ଯାତ୍ରା ସାରି ଦଶମୀରେ
ଫେରିଆସନ୍ତି ମନ୍ଦିର ।
ନୀଳାଦ୍ରୀବିିଜୟ ହୁଏ ତାହାପରେ
ଯାଆନ୍ତି ନୀଳକନ୍ଦର ।
ଆଷାଢ ଶୁକଳ ଏକାଦଶୀ ଦିନ
ଶୟନ ଯାତ୍ରା ତାଙ୍କର ।
କର୍କଟ ସଂକ୍ରାନ୍ତି ଦକ୍ଷିଣାୟନ ଯାତ୍ରା
ହୁଅଇ ହେତୁ କର ।
ପାର୍ଶ୍ଵପରିବର୍ତ୍ତନ ଯାତ୍ରା ଭାଦ୍ରବ
ଶୁକ୍ଳ ଏକାଦଶୀ ଦିନ ।
କାର୍ତ୍ତିକ ଶୁକ୍ଳ ଏକାଦଶୀରେ ହୁଏ
ଯାତ୍ରା ଦେବ ଉତ୍ଥାପନ।
ପ୍ରାବରଣ ଷଷ୍ଠୀ ଯାତ୍ରା ମାର୍ଗଶୀର
ଶୁକ୍ଳ ଷଷ୍ଠୀରେ ହୁଅଇ ।
ପୌଷ ପୂର୍ଣ୍ଣମୀରେ ପୁଷ୍ୟାଭିଷେକ
ଯାତରା ତାଙ୍କ ହେଉଥାଇ ।
ମକର ଯାତ୍ରା ହୁଅଇ ଉତ୍ତରାୟଣ
ମକର ସଂକ୍ରାନ୍ତି ଦିନ ।
ଦୋଳଯାତ୍ରା ହୁଏ ଫଗୁ ଦଶମୀରୁ
ଚୈତ୍ର ପ୍ରତିପଦା ଜାଣ ।
ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ହୁଅଇ
ଦମନକ ଚୋରି ଯାତ୍ରା ।
ବୈଶାଖ ଶୁକ୍ଳ ଅଷ୍ଟମୀରେ ହୁଏ
ନୀଳାଦ୍ରି ମହୋଦୟ ଯାତ୍ରା ।
କେତେ କେତେ ଯାତ୍ରା କହିବା ତାଙ୍କର
କହିଲେ ସରିବ ନାହିଁ ।
ଚରଣେ ଶରଣାଗତ ମୁଁ ହୋଇଛି
ଶରଣ ରକ୍ଷଣ ସାଇଁ ।
