ବିଫଳତାର କାବ୍ୟ
ବିଫଳତାର କାବ୍ୟ
ଜୀବନ ତମାମ ପ୍ରତିଟି କ୍ଷେତ୍ରରେ ପ୍ରତିଟି ମୁହୂର୍ତ୍ତରେ
ସଭିଏଁ ପଚାରିଲେ ମୋତେ କୁଟିଳ ଜଟିଳ ଦୁର୍ବୋଧ୍ୟ
ପ୍ରଶ୍ନ ବାରମ୍ବାର ସ୍ଥାନ କାଳ ପାତ୍ର ନିର୍ବିଶେଷରେ
ଅସହଜ ମନେହୁଏ ମୋତେ ଏସବୁ କଥା ଅବାନ୍ତର
ମାତ୍ର ତର୍କ ବିତର୍କର ତରାଜୁରେ ଏଇ ସବୁ ପ୍ରଶ୍ନ କାଳେ
ସଫଳତାର ମାପକାଠି ମହାର୍ଘ ଜୀବନ ଯାତ୍ରାର!!
କେତେ ନମ୍ବର ରଖୁଛୁ ପାଠ ବିଷୟରେ
କେତେ ସ୍ଥାନ ଅଧିକାର କରୁଛୁ ଶ୍ରେଣୀରେ
କେତେ ତୋର ଆୟ କେତେ ରୋଜଗାର
କେତେ ଅଛି ଘରବାଡ଼ି କେତେ ଗାଡ଼ି ଘୋଡ଼ା କାର୍
କେତେ ଦେଶ କରିଛୁ ଭ୍ରମଣ ଜୀବନରେ
ବାହାସାହା ହୋଇ ସଂସାର କଲୁଣିକି ନାହିଁ
ପିଲାଛୁଆ କେତୋଟି ଶିକ୍ଷା ଦୀକ୍ଷା କଣ ତାହାଙ୍କର
କଣ ଅବା କରୁଛନ୍ତି ସେମାନେ ରୋଜଗାର??
ପାର୍ଥିବ ସୁଖର ସଂଖ୍ଯାର ଖେଳରେ ଆଜନ୍ମ ମୁଁ ପରାଜିତ
ନାହିଁ କିଛି ବିଶେଷ ଉପଲବ୍ଧି ଜୀବନରେ
ଘରବାଡ଼ି ଗାଡ଼ି ଘୋଡ଼ା ଅର୍ଥ ସମ୍ପତ୍ତି ପ୍ରତିପତ୍ତି ପ୍ରସିଦ୍ଧି
କିଛି ବି ତ ନାହିଁ ମୋହରି ଝୁଲାରେ
ମହାରଥ ନାହିଁ କେଉଁଥିରେ
ନାହିଁ ନାହିଁର ଅସରନ୍ତି କାହାଣୀ ମୋହର!!
ପ୍ରଶ୍ନଟିଏ ମଧ୍ୟ ଉଙ୍କିମାରେ ମୋର ଖିଆଲି ମନରେ
କାହିଁ କେଉଁ ଦିନ କେହି ବି କେବେ ବି ମୋତେ
ଭୁଲ୍ ରେ ବି ପଚାରିଲା ନାହିଁ
ଭଲ ମଣିଷଟିଏ ହେଲୁ କି ନାହିଁ
ସତ୍ ପଥରେ ବାଟ ଚାଲୁଛୁ କି ନାହିଁ
ସତ୍ଯ ଧର୍ମ ନ୍ଯାୟ ଆଚରଣ କରିଛୁ କି ନାହିଁ??
