ମାନବିକତାର ସୂର୍ଯ୍ୟ
ମାନବିକତାର ସୂର୍ଯ୍ୟ
ପୂର୍ଣ୍ଣ ମହୀତଳ ଆଭୂମି ଭୂଗୋଳ
ଶ୍ରେଷ୍ଠ ମାନବର ବଳ
ଦେଇ ଯଥା ତାଳ ପ୍ରକୃତି ତମାଳ
ନର କରି ଜୟ କାଳ ।
ବିଧାତା ଗଢ଼ିଲେ ଶ୍ରେଷ୍ଠ ଜୀବ ତହିଁ
ନିଜ ବିନ୍ଦୁ ପ୍ରତିବିମ୍ବେ
ଦେଲେ ବୋଧ ବୁଦ୍ଧି ଜିଜ୍ଞାସୁର ଦୃଷ୍ଟି
ବ୍ରହ୍ମାଣ୍ଡର ରୂପ ପିଣ୍ଡେ ।
ବିବର୍ତ୍ତନ ତାଳେ ବିବୃଦ୍ଧିର ମାଳେ
ମଣିଷ ବିଜ୍ଞାନ ବଳେ
କଳିଛି ଭୂଗୋଳ ଜିଣିଛି ମଣ୍ଡଳ
ଅତ୍ର ତତ୍ର ଗଢେ ଝାଳେ ।
ସାମାଜିକ ପ୍ରାଣୀ ସମାଜରେ ରହି
ମଣିଷପଣିଆ ଅସ୍ତ୍ରେ
ଭିନ୍ନ ସବୁଠାରୁ ମହତ କାରଣେ
ମୂଲ୍ୟବୋଧ ମନବସ୍ତ୍ରେ ।
ମାନବତା ସାକ୍ଷୀ କେତେ କଥା ଜୋଖି
ଲେଖା ଆମ ଇତିହାସ
ମାନବିକତାର ମହିମ୍ନ ମନ୍ଦିରେ
ବିକାଶର ପରକାଶ ।
ଈଶ୍ୱରଙ୍କ ରାଜ୍ୟେ କ୍ଷୁଦ୍ର ବୃହତ ଗାତ୍ରେ
ଦେଇ ତତ୍ର ନୀତି ଲେପ
ମାନବିକତାର ଅଖଣ୍ଡ ଆଦିତ୍ୟ
ଜଳନ୍ତୁ ହୋଇ ପ୍ରଦୀପ ।