ମାଗିନାହିଁ କେବେ
ମାଗିନାହିଁ କେବେ
ମାଗିନାହିଁ କେବେ ନିଜର ମଣିକି
ଦେବାକୁ ନିଜର ପ୍ରତିଶ୍ରୁତି ,
ଅବା ଆଙ୍କିଦିଅ ନୟନରେ ମୋର
ଇନ୍ଦ୍ରଧନୁ ଛିଟା ମଧୁସ୍ମୃତି ।
ମାଗିନାହିଁ କେବେ ରାଣୀ ହଂସପୁର
ସ୍ୱତନ୍ତ୍ରତା ପୂର୍ଣ୍ଣ ମୋ ନିବାସ ,
ଅବା ସିଂହାସନ ତାରକା ଖଚିତ
ହାତୀଦାନ୍ତେ ଗଢ଼ା ସେ ଉଆସ ।
ମାଗିନାହିଁ କେବେ ନିଃଶବ୍ଦ ରାତ୍ରିର
ମଧୁରିମା ଭରା ପ୍ରୀତିବାସ ,
ଅବା ଭରିଦିଅ ପ୍ରୀତି ପସରାରେ
ଜୁଇ–ଜାଇ–ମଲ୍ଲୀର ସୁବାସ ।
ମାଗି ନାହିଁ କେବେ ଅଣ୍ଟିରେ ଅଜାଡ଼ି
ସୁଖ ପରଷିବ ହସି ହସି ,
ଅବା ଏ ଜୀବନ ବିଜନ ଭୂଇଁରେ
ଶୁଭ ରଜନୀର ସୁଖରାଶି ।
ମନେ ମୋ ନଥିଲା ଅସରନ୍ତି ଆଶା
ପାଇବାର ଗୁପ୍ତ ଅଭିଳାଷ ,
ଯାହା ଯାଚି ଦେଲ ହସି ହସି ତୁମେ
ନାହିଁ ମୋର କିଛି ଅବଶୋଷ ।
ମନ ଜଳଧିରେ ଆଦର୍ଶ ଲହରୀ
ଅନ୍ଧାରେ ଜଳାଏ ସେ ଦିହୁଡ଼ି ,
ଦୁଇ ଦିନିଆ ଏ କାମନା ବାସନା
ବିନା ଆଶାରେ ମୋ ଯାଏ ଗଡ଼ି ।