" ବନ୍ଧୁ "
" ବନ୍ଧୁ "
ବନ୍ଧୁଟିଏ ସେତ ସବୁବେଳେ ଶୁଣେ
ବନ୍ଧୁ ର ମୁଖର କଥା
ହୃଦୟ ଭିତରେ ସଦା ଖେଳୁ ଥଏ
ବନ୍ଧୁତ୍ଵର ଚିର ଗାଥା ।
ବନ୍ଧୁ ଟିଏ ସେତ ମାପେ ନାହିଁ କେବେ
ବନ୍ଧୁ ର ଧନ ଐଶ୍ୱର୍ଯ୍ୟ
ବନ୍ଧୁ ଟିଏ ପରା ଖୋଜୁ ଥାଏ ସଦା
ବନ୍ଧୁ ର ସ୍ନେହ ପ୍ରାଚୁର୍ଯ୍ୟ ।
ବନ୍ଧୁଟିଏ ସଦା ମୁହଁ ଦେଖି ଦେଲେ
ବୁଝେ ହୃଦୟର କଥା
ନୀରବତା ମଧ୍ୟେ ବୁଝି ନିଏ ସିଏ
ମନ ତଳ ସବୁ ବ୍ୟଥା ।
ବନ୍ଧୁଟିଏ ସେତ କରେ ନାହିଁ କେବେ
ଦେବା - ନେବାର ହିସାବ
ହୃଦୟ ଭିତରେ ସାଇତା ପ୍ରେମ ଯେ
ଅନନ୍ୟ ତା ଅନୁଭବ ।
ବନ୍ଧୁଟିଏ ସେତ ବନ୍ଧୁ ର ପାଦରୁ
ନିଃସଙ୍କୋଚେ କଣ୍ଟା କାଢେ
ମାନ-ଅପମାନ ତା ପାଖେ ସମାନ
ବନ୍ଧୁ ର ମର୍ଯ୍ୟାଦା ପଢେ ।
ବନ୍ଧୁଟିଏ ସେତ ଅବାଟରେ ଗଲେ
ବାଟ ଯେ କଢ଼ାଇ ନିଏ
ସମସ୍ତ ଆପଦ ବିପଦ କାଳେ ସେ
ବନ୍ଧୁଟିର ପାଶେ ଥାଏ ।
ବନ୍ଧୁଟିଏ ସେତ ପଢ଼ି ପାରେ ପରା
ବନ୍ଧୁର ନୀରବ ଭାଷା
ଆଖିରେ ଆଖିକୁ ମିଶାଇ ଦେଇ ସେ
ବୁଝେ ହୃଦ ପରିଭାଷା ।
ବନ୍ଧୁଟିଏ ସେତ ଆନ୍ତଃ ସଲୀଳା
ଭିତରେ ସ୍ନେହର ଫଲ୍ଗୁ
ଆହରଣ କିଛି ନ ଥିଲେ ନ ଥାଉ
ପରିପୂର୍ଣ୍ଣ ଭାବ ସବୁ ।
ବନ୍ଧୁଟିଏ ସେତ ଜୀବନ ଯୁଦ୍ଧରେ
ହନ୍ତସନ୍ତ ଯେବେ ହୁଏ
ବନ୍ଧୁଟିଏ ପୁଣି ସୈନିକ ହୋଇ
ବଞ୍ଚିବା ତାକୁ ଶିଖାଏ ।
ବନ୍ଧୁଟିଏ ସେତ ହୃଦୟେ ବନ୍ଧୁର
ଭାବନା ଯେ ଭରିଥାଏ
ଯେତେ ଦୂରେ ଥିଲେ ବନ୍ଧୁର ଭାବନା
ମନେ ତରଙ୍ଗ ଖେଳାଏ ।
ବନ୍ଧୁଟିଏ ସେତ ପକାଇ ଦିଏନି
ସମ୍ପର୍କେ ସ୍ଵାର୍ଥର ଛାଇ
ହୃଦୟୁ ତାହାର ସ୍ଵଚ୍ଛ ସ୍ନେହ ଧାରା
ସଦା ଯାଉଥାଏ ବହି ।
ଚିରନ୍ତନ ଏଇ ବନ୍ଧୁର ସମ୍ପର୍କ
ନିଆରା ତାହାର ଭାବ
ସେ ଭାବରେ ବିଶ୍ଵ ହେଉ ଆନ୍ଦୋଳିତ
ଶାନ୍ତ କାନ୍ତ ହେଉ ଭବ ।
କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ଵ ର ଗାଥା
ଆମରି ସଂସ୍କୃତି କହେ
ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେବା
ଅଛପା ଅଛି କାହାରେ ।
ବନ୍ଧୁତ୍ଵ ରହୁ ଯେ ଚିର ଅମ୍ଳାନ
ଅବାରିତ ଧାରା ବହୁ
ନିଃସ୍ଵାର୍ଥ ବନ୍ଧୁତ୍ଵ ପବିତ୍ର ସ୍ରୋତରେ
ଏ ଧରା ପ୍ଳାବିତ ହେଉ ।
