STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଲକ୍ଷ୍ମୀଙ୍କ ମହିମା

ଲକ୍ଷ୍ମୀଙ୍କ ମହିମା

2 mins
26.6K


ସାଗର ଦୁଲଣୀ ବୈକୁଣ୍ଠ ବାସିନୀ

ଵାଣିଦେଵୀ ସପତଣୀ

ଜଗତର ମାତା ସୃଷ୍ଟି ର କରତା

ପାଶେ ଥାଉ ସଦା ପୁଣି ....

ସ୍ରଷ୍ଟା ଦର୍ପ ଦଳି ଚଣ୍ଡାଳ ଗୃହରେ

ପ୍ରବେଶିଲୁ ଆନନ୍ଦ ରେ

ତଡ଼ିଦେଲେ ବୋଲି ପରାଣ ଦାହିଲୁ

ପ୍ରଭୁଙ୍କର ପଲକରେ....

ଅନ୍ନ ନ ମିଳିଲା ଜଳ ନ ମିଳିଲା

ଭିକ ବି ମିଳିଲା ନାହିଁ

ତୋର କୋପଦୃଷ୍ଟି ଯୋଗେ ହଟହଟା

ହେଲେ ସିନା ଦୁଇଭାଇ....

କାଳିଆ ବଳିଆ ଉପାସେ ରହିଲେ

କ୍ଷୁଧା ରେ ପେଟ ଜଳିଲା

ଦୂରମାର କରି ଘଉଡ଼ାଇ ଦେଲେ

କେହି ଆହା ନ କହିଲା...

ବେତାଳ ଚୋରେଇ ନେଇଗଲେ ଖାଦ୍ୟ

ପବନ ନେଲା ଉଡେଇ

କପାଳେ ଖାଇବା ଜୁଟିଲାନି ଯେଣୁ

ଖଇ ଵି ଗଲା ଉଭେଇ....

ଶେଷରେ ଠାକୁର ଦୁଇଭାଇ ଯାଇ

ଶରଣ ତୋର ପଶିଲେ

ବାଢ଼ୀଦେଲୁ ଅନ୍ନ ପୋଡପିଠା ତୁହି

ହରଷ ମନେ ଭୁଞ୍ଜିଲେ...

ଲକ୍ଷ୍ମୀ ସର୍ତ୍ତ ମାନି ଫେରିଲେ ଦେଉଳ

ଭେଦଭାବ ନ ରହିଲା

ବ୍ରାହ୍ମଣ ହାତରୁ ଖାଇଲେ ଚଣ୍ଡାଳ

ନିୟମଟା ବଦଳିଲା....

ପାଞ୍ଚପାଳି ଗୁରୁ ବାର ମାର୍ଗଶିରେ

କରେ ଯିଏ ତୋର ପୂଜା

ଝୋଟି ଚିତା ଦେଇ ଆବାହନ କଲେ

ଧନଧାନ୍ୟ ହୁଏ ସଜା....

ଯା'ଠାରେ ପ୍ରସନ୍ନ ହେଉ ତୁହି ମାଆ

ତାର ଦୁଃଖ ଦୂର ହୁଏ

କୁଵେର ବରୁଣ ବେତାଳ ସର୍ବଦା

ତୋର ଆଜ୍ଞାଧୀନ ଥାଏ....

-------------


Volume2(ଆତ୍ମ ନିବେଦନ)

---------------------

ଅନୀତି ଦେଖିଲେ ପାପ ବଢିଗଲେ

ଛାଡୁ ଯେ ସଦନ ତୁହି

ତୋତେ ଭଜିଭଜି ଆକୁଳ ନୟନୁଁ

ଅଶ୍ରୁଧାରା ଯାଏ ବୋହି....

କିସମ୍ଭାରେ ତୋର କରି ଉପଚାର

ତୋଷ କରିବି ତୋ ଚିତ୍ତ

ବୁଦ୍ଧି ବତାଇଦେ କପଟ ନକରି

ସଦୁପାୟେ ବଢ଼ୁ ବିତ୍ତ....

କରୁଥିବି ପୂଜା କାଟୁଥିବି ଦିନ

ସେବି ତୋ ପଦ ଯୁଗଳ

ପାଉଥିବି ଜ୍ଞାନ ଅରାଜିଣ ଧନ

ଦାନରେ କଟୁ ମୋ ବେଳ....

ହାତଟେକି ଦେବୁ ହାତ ପାତି ନେବି

ଦରକାର ମୋର ଯେତେ

ତୋର ଶୁଭାଶୀଷ ଲୋଡ଼ା ଜଗଦମ୍ବା

ଡାକ ମୋ ଶୁଣ ତୁରୀତେ....

ଅନ୍ନବସ୍ତ୍ର ଯେତେ ଦାନ ଧ୍ୟାନେ ହେଉ

ଦରିଦ୍ର ଦୁଃଖୀ କାରଣେ

ପର ତଣ୍ଟି ଚିପା ଧନ ନାହିଁ ଲୋଡ଼ା

ଶୟନେ ବା ଜାଗରଣେ....

ହୋଇଥିବି ଦାସ ତୋର ସେବା କରି

ଯେଯାଏ ଜୀବନ ଥିବ

ଏତିକି ମାଗୁଣି ମାଆ ଲୋ ଚରଣେ

କରୁଣା ଉଣା ନହେବ...

ମାଗୁଛି ଜଗତେ ଧନୀ ଦରିଦ୍ର ର

ଫରକ କେବେ ନରହୁ

ଦରିଦ୍ରର ପେଟ ପୁରୁଥାଉ ସଦା

ଦାନା ଅଭାବ ନହେଉ....

ସର୍ବେ ସୁଖେ ରହି ତୋର କରୁଣା ରୁ

ହସନ୍ତୁ ଧରା ର କୋଳେ

ନ ଆସୁ କାହାକୁ ଅଭାବ କଷଣ

କେବେ ହେଁ ମହୀ ମଣ୍ଡଳେ....

ତୋରକୃପା ବଳେ ପଙ୍ଗୁ ଲଙ୍ଘୁ ଗିରି

ମୁକ ବି ହେଉ ବାଚାଳ

କୃପାକରି ମାଆ ଭରିଦେ ସର୍ବଦା

ଗରିବର ଶୂନ୍ୟ ଥାଳ....

ବିଷ୍ଣୁ ଙ୍କ ଘରଣୀ ଜଗତ ର ହିତେ

ସଦାଥାଉ ତୋର ମନ

ତୋ କରୁଣା ସିନ୍ଧୁ ନାହିଁ ପଟାନ୍ତର

ପାଆନ୍ତୁ ଭକତ ଜନ


Rate this content
Log in