ଆଖି ଆଇନାରେ ମୋ ମନ ମଇନା
ଆଖି ଆଇନାରେ ମୋ ମନ ମଇନା
ଆଖି ଆଇନାରେ ମୋ ମନ ମଇନା
ନାଚେ ତାର ସୁନ୍ଦର ରୂପ ଲାବଣ୍ୟର ଛବି
ହୋଇ ଏକ ପ୍ରତିବିମ୍ବ କଲେ କଳ୍ପନା
ସପନରେ ମଜିଯାଏ ପାଲଟି ଯାଏ ମୁଁ ମୂରତି
ଭବ ସାଗରର ଉର୍ମିମାଳା ଅସୁମାରୀ
ଆସେ ମନର ଭାବ ଭାବନାରେ
ଏକ ଲୟେ ଧ୍ୟାନସ୍ଥ ହୁଏ ମୋ ଚେତନା
ଆଶାର ସୌଧ ଗଢ଼େ ହୃଦୟର ବେଳାଭୂମିରେ
ସ୍ବାଗତେ ତାର ଜଣାଏଁ ପ୍ରେମର ଅଭ୍ୟର୍ଥନା
ଭଲ କିଛି ଲାଗେନା ତା ବିନା
ନିଜକୁ ବୁଝାଇ ସ୍ଥିର ହୋଇ ରହି ପାରେନା
ଆଖି ଆଇନାରେ ମୋ ମନ ମଇନା
ଆସେ ସେ ଛପି ଛପି କଥା କହେ ଚୁପି ଚୁପି
ଆକର୍ଷି ନିଏ ମୋତେ ଦିଏ ପ୍ରେରଣା
ପ୍ରାଣରୁ ପ୍ରବାହିତ ହୋଇ ଝରେ ପ୍ରୀତିର ଝରଣା
ତନୁଲତାରେ ତାର ଝଲସୁଥାଏ
ଆନନ୍ଦ ଉଲ୍ଲାସର ବହୁ ମୂଲ୍ୟ ସୁନ୍ଦର ଗହଣା
ରୂପ ଅବା ଗୁଣ କିଛିରେ ତ ନଥାଏ ଊଣା
ହଜିଯାଏ ମୋ ଲକ୍ଷ୍ୟର ନିର୍ଦ୍ଧାରିତ ଠିକଣା
ଭାବେ ବିହ୍ଵଳ ହୋଇ ଦେଖେ ସବୁଜ ସମ୍ଭାବନା
ପୁନେଇଁ ରାତିରର ରୂପେଲି ଜହ୍ନ ହୋଇ
ଢ଼ାଳିଦିଏ ସେ ପ୍ରଣୟର ମଧୁବୋଳା ଜୋଛନା
ଖୁସିର ଫୁଲରେ ଭରିଯାଏ ମୋ ଘର ଅଗଣା
ଆଖି ଆଇନାରେ ମୋ ମନ ମଇନା
ସପନ ବିଳାସୀ ପ୍ରଜାପତି ହୋଇ ଯାଏଁ ମୁଁ ଉଡ଼ି
ପ୍ରେମର ମଧୁ ମହକେ ଜାଗେ ଉନ୍ମାଦନା
ଅଙ୍ଗେ ଖେଳିଯାଏ ବିଜୁଳିର ତରଙ୍ଗ
ଦେହ ଦହେ ବିରହରେ ବିଚ୍ଛେଦର କାମନା
କୂଳ ଉଛୁଳି ବହେ ଜୀବନ ଯମୁନା
ପ୍ରେମର ମନ୍ଦିରରେ କରେ ମୁଁ ଆରାଧନା
ଭଲପାଇ ମନ ମଇନାକୁ ଜଣାଏଁ ମନ ବେଦନା
ମୋ ଜୀବନ ସାଥୀ ରୂପରେ ପାଇଲେ ତାକୁ
ପୂର୍ଣ୍ଣହେବ ଯେତେ ଇପ୍ସିତ ମନସ୍କାମନା
କରିଛ ମୁଁ ସଂକଳ୍ପ ଦେବାକୁ ପ୍ରେମର ପାଉଣା
ଆଖି ଆଇନାରେ ମୋ ମନ ମଇନା ।

