STORYMIRROR

sasmita tripathy

Romance

4  

sasmita tripathy

Romance

ଏ ରାତି

ଏ ରାତି

1 min
273

ଏ ରାତି ସ୍ପର୍ଶରେ ହୁଏ ଶିହରିତ

ଜ୍ୟୋସ୍ନାଭିଳାଷୀ କୁମୁଦ

ସରସ ର ଜଳେ ସମୀରଣ ସାଥେ 

ନୃତ୍ୟେ ରତା ସେ ଉନ୍ମାଦ


ଜହ୍ନ ଖେଳୁଅଛି ଲୁଚକାଳି ଖେଳ

ହାସ୍ୟ କୁମୁଦିନୀ ସାଥେ 

ବିକ୍ଷିପ୍ତ ବଉଦେ ଲୁଚି ବୁଲୁ ଥାଏ 

ସ୍ମିତହାସ୍ୟେ ନଭ ପଥେ 


ରଜନୀ କରିଲା ଯେବେ ଆଲିଙ୍ଗନ

ଘନ ଅନ୍ଧକାରେ ମୋହି

ଦିବାଚର ଯେତେ ପଶୁ ଠୁ ପତଙ୍ଗ

ଧରାବାସୀ ଗଲେ ଶୋଇ 


ଏ ରାତି ଭରିଲା ମାଳତୀର ଦେହେ 

ମଧୁସିକ୍ତ ମାଦକତା 

ଅନ୍ଧାରେ ଭ୍ରୂକ୍ଷେପ ନକରି ଶେଫାଳି

ପ୍ରକାଶେ ନିଜ ଶୁଭ୍ରତା


ପ୍ରେମୀ ଯୁଗଳଙ୍କ ମନରେ ଆସକ୍ତି

ମାଖିଲା ଏହି ରଜନୀ

ରତି ରଙ୍ଗେ ମଜ୍ଜି ଅତି ଅନୁରାଗେ 

ବିତାନ୍ତି ମଧୁ ଯାମିନୀ


ଚୋର ଓ ତସ୍କର ଯେତେ ରାତ୍ରିଚର

ଅପେକ୍ଷାରେ ଥିଲେ ରତ 

ରାତ୍ରି ଆଗମନେ ନିଜ ତନ୍ଦ୍ରା ତେଜି 

ଉଠିଲେ ହୋଇ ଉନ୍ମତ୍ତ


ପଲ୍ଲୀରୁ ସହର ସମସ୍ତଙ୍କ ପାଇଁ 

ଉପଭୋଗ୍ୟ ଏହି ରାତି

ଶ୍ରମ କ୍ଲାନ୍ତ ଦୂର କରି ଏ ମଣିଷ

ଲଭଇ ନବ ପ୍ରଶାନ୍ତି 


ଅନ୍ଧାର ପାଇଁ କି ଆଲୋକର ମୂଲ୍ୟ

ବୁଝଇ ଜୀବ ଜଗତ

ଦିବସ ରଜନୀ ମହାପ୍ରଭୁଙ୍କର

ଆଶୀର୍ବାଦ ଅବ୍ୟାହତ


ମୋ ଲେଖନୀ ରଚେ ରାତ୍ରି ଆଗମନେ

ନବ ସୃଷ୍ଟିର ସର୍ଜନା

ବିନିଦ୍ର ରଜନୀ ଭାଵ ପ୍ରବଣତା

ବଖାଣି ନିଜ ଯାତନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance