କାନଭାସରେ ସେ
କାନଭାସରେ ସେ
ରବି ବର୍ମା ସାଜି ଆଂକି ପାରନ୍ତି ତାକୁ
ମୋ କାନଭାସରେ ତିଳୋତ୍ତମା କରି,
ମୁକ୍ତ କରନ୍ତି ଲଜ୍ଜା ବସନ ବନ୍ଧନୁ
ଚମକୁଥାନ୍ତା ସେ ସରଗ ଅପ୍ସରା ପରି ।
ଖସିଆସୁଥାନ୍ତା ତନୁ ପରସ୍ତେ ପରସ୍ତେ
ସାଧବବୋହୂର ରକ୍ତବର୍ଣ୍ଣ ଆବରଣ,
ଶୁଭ୍ର କପୋତ କଳେବର ତାର
ଅଚିକେ ନିଅନ୍ତା ନଭ ର ଉଡାଣ ।
ଥକିପଡନ୍ତା ପ୍ରତି ନୟନ ଯୁଗଳ
ପରିକ୍ରମା କରି ତା କେଶରୁ କଟି,
ସ୍ତନେ ତାର ଦୋଳାୟିତ ଆଭୂଷଣ
ଦେଖି ପୁରୁଷାର୍ଥ ପଡନ୍ତା ଲୋଟି ।
ପ୍ରତିଭା ସାଜି ତାକୁ ବଖାଣିପାରନ୍ତି
ଯାଜ୍ଞସେନୀର କୃଷ୍ଣା ରୂପ ଦେଇ,
ନୀଳପଦ୍ମ ପାଖୁଡା, ଉର୍ମିଳ କେଶରୁ
ରକ୍ତ ଶତଦଳ କରତଳ ଯାଏଁ ଯାଇ ।
ଶଇଳ ଉରଜୁ ନାଭିଗଣ୍ଡ ଯାତ୍ରାର
ସମଦିଗେ ସମଦୂରେ ସମାପ୍ତିରେ,
ତାର ଶିହରିତ ପ୍ରତିଟି ଲୋମକୂପର
ଗାଲିଚାରେ ନିଜକୁ ବିଛେଇ ପାରେ ।
ଖୋଦେଇ ଦେଇପାରେ ତା ଅସ୍ତିତ୍ୱ
କୋଣାର୍କର ପ୍ରତିଟି ଶିଳାଲେଖେ
ଅମରତ୍ୱ ଲଭନ୍ତା ସପ୍ତାଶ୍ଚର୍ଯ୍ଯ ସାଜି
ପ୍ରେମିକାଟିଏ ଏଇ ଧରାବକ୍ଷେ ।
ପ୍ରେମିକଟେ ସାଜି ଅଟକିଯାଏ କ୍ଷଣେ
ମୁଁ ରଂଗ ବୋଳା ବେନି ହସ୍ତେ,
ମୋ ସାରା ଶରୀରେ ବୋଳା ତା ରଂଗ
କାନଭାସରେ ବୋଳିବି କେମନ୍ତେ ।
ସାକ୍ଷୀ ସମର୍ପଣର କାଳକାଳକୁ ତା
ମୁଦିତନୟନ ସ୍ମିତବଦନ ଉନ୍ମୁକ୍ତତନ,
ତା ମନମନ୍ଦିର ଗର୍ଭଗୃହ ଦେବତା ମୁଁ
ଭୂଲିକି ପାରିବି ଗୋପନତାର ବଚନ ।
ନସାଜୁ ସେ ତିଳୋତ୍ତମା ଅବା କୃଷ୍ଣା
କୋଣାର୍କ ସ୍ଥାପତ୍ଯେ ମୂରତି ନହେଉ,
ମୋ ହୃଦ କାନଭାସରେ ଦେବୀ ସମ
ସେ ପୂର୍ଣ୍ଣ ଅବୟବେ ପୂଜା ପାଉଥାଉ ।