ଫେରିଆସନ୍ତ କି ଥରେ
ଫେରିଆସନ୍ତ କି ଥରେ


ଫେରି ଆସନ୍ତ କି ଜହ୍ନ ଜୋଛନାରେ
ମନ ଅଗଣାକୁ ଥରେ,
ଭିଜେଇ ଦିଅନ୍ତ ସୁଶୀତଳ ଧାରେ
ପ୍ରେମାସିକ୍ତ ପୁଲକରେ ।
ସ୍ମୃତି ତବ ହାତ ଠାରେ,
ସତେକି ଚାତକ ଭିଜିବ ପ୍ରାଙ୍ଗଣେ
ଆଶା କେତେ ଉଙ୍କି ମାରେ ।।
ଫେରି ଆସନ୍ତ କି ପାହାନ୍ତି ସପନେ
ସାଜି ମୋ ସପନ ରାଣୀ,
ସତ ନ ହେଲେ ବି ସପନରେ ଥରେ
ପାଶେ ନିଅ ତୁମ ଟାଣି ।
ପ୍ରିୟତମା ମୋର ଜେମା,
ସାଜିବି ସପନ ସୌଦାଗର ତୁମ
ଖୁସିର ନଥିବ ସୀମା ।।
ଫେରି ଆସନ୍ତକି ବରଷା ସାଥିରେ
ସାଜି ତୁମେ ସୌଦାମିନୀ,
ତୁମ ଚମକରେ ଅମା ଅନ୍ଧକାରେ
ଜଳନ୍ତା ପ୍ରେମର ବହ୍ନି ।
ଆଜିବି ମୁଁ ପ୍ରତୀକ୍ଷାରେ,
ତବ ପରଶ ପାଇଁ ରହିଛି ଚାହିଁ
ଫେରି ଆସନ୍ତ କି ଥରେ ।।
ଫେରି ଆସନ୍ତ କି ଗୋଧୂଳି ଲଗନେ
ହୃଦ ଉପବନେ ମୋର,
ମହକରେ ତୁମ ଶିହରି ଉଠନ୍ତା
ଛାତି ତଳ କାରାଗାର ।
ଆଗୋ ଅଭିମାନୀ ମୋର,
ବିରହ ଫଗୁଣ ନିକ୍ଷେପ କରିଣ
ଫେରି ଆସ ଏଇ ଥର ।।