ପ୍ରେମ
ପ୍ରେମ
ପ୍ରକୃତି କୋଳରେ ନାରୀ ଓ ପୁରୁଷ
ଦୁଇ ସୁବାସ ସୁମନ,
ଦୁହିଁଙ୍କ ହୃଦୟେ ଅନାବିଳ ପ୍ରେମ
ଝରୁଥାଏ ଚିରଦିନ ।
ପ୍ରଥମେ ଆଦlମ,ଇଭ ଆସିଥିଲେ
ଦୁହିଁଙ୍କ ପ୍ରଥମ ପ୍ରୀତି ,
ଭରି ଦେଇଥିଲେ ସଭିଙ୍କ ମନରେ
ପ୍ରେମ କରିବାର ରୀତି ।
ପୁରୁଷ ଜୀବନ ହୁଏ ଅର୍ଥହୀନ
ନାରୀର ସେନେହ ବିନା,
ନାରୀର ଅସ୍ତିତ୍ବ ପୁରୁଷକୁ ଛାଡି
କେବେ ପୂର୍ଣ୍ଣତା ଲଭେନା ।
ଭଲ ପାଇବାରେ ଜୀବନରେ ଶାନ୍ତି
ମିଳିଥାଏ ପ୍ରତିକ୍ଷଣେ,
ପ୍ରେମିକ ପ୍ରେମିକା ଅବା ପତି ପତ୍ନୀ
ପବିତ୍ରତା ଥାଏ ମନେ ।
ପ୍ରେମ ନୁହେଁ କେବେ ଦେହର ଲାଳସା
ସିଏ ହୃଦୟର ପ୍ରୀତି,
ରହେନାହିଁ ସ୍ୱାର୍ଥ ଭଲ ପାଇବାରେ
ସମ୍ପର୍କ ମଧୁର ଅତି ।
ପ୍ରକୃତ ପ୍ରେମ ଯେ ସଦା ପୂଣ୍ୟଭରା
କେବେ ପାପ ଛୁଏଁ ନାହିଁ,
ରହେ ଅଭିମାନ ଥାଏ ରାଗ ରୁଷା
କ୍ଷଣିକ ସମୟ ପାଇଁ ।
ସ୍ୱାର୍ଥ ବିଜଡିତ ବନ୍ଧନରେ କେବେ
ହୁଏନି ଅମୃତ ବର୍ଷା,
ମିଥ୍ୟା ଛଳନାର ସମ୍ପର୍କ ଆବୋରେ
ପରସ୍ପରେ ଘୃଣା ଇର୍ଷା ।
ଆବିଳତା ପୂର୍ଣ୍ଣ ସମ୍ପର୍କ ହୁଏନି
କାହାର ବି ଚିରସ୍ଥାୟୀ,
ପ୍ରତାରଣା ଘଟେ ସମ୍ପର୍କ ବି ତୁଟେ
ଚିର ଦୁଃଖ ଯାଏ ଛାଇ ।
ପ୍ରେମ ନୁହେଁ ପାପ, ପୁଣ୍ୟମୟ ସିଏ
ସାତରଙ୍ଗ ହୃଦେ ଭରେ,
ଚିର ପବିତ୍ର ସେ ଅମୃତର ଧାରା
ବହୁଥାଏ ଅନ୍ତରରେ ।