ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ପ୍ରଥମ ଦେଖାରେ ପ୍ରଥମ ହସରେ
ପଡ଼ିଗଲି ତୁମ ପ୍ରେମରେ
ତୁମେ କିଛି କୁହ ମୁଁ କିଛି କହେ
ମୂଲ୍ୟ ନ ଥାଏ ସେ କଥାରେ ।
କଥା ଆଉ ହସ ଭିତରେ
ପରିବେଶଟା ଦୋହଲି ଉଠେ
ଯାଉଥିବା ଲୋକ ଚାହାଁନ୍ତି ନିରେଖି
ଆମ ହୃଦେ କିନ୍ତୁ ପଦ୍ମ ଫୁଟେ ।
ମୁଁ ହସୁଥାଏ ଶିଶୁଟିଏ ପରି
ତମେ ଚାହିଁଥାଅ ମତେ
ଭାବୁଥାଅ ମୁଁ ତମକୁ ପାଇ
ଖୁସି ହୁଏ ସତେ କେତେ ।
ସେଦିନକୁ ଜମା ଭୁଲି ହୁଏନାହିଁ
ରହି ଯାଇଛି ମୋ ସ୍ମୃତି ହୋଇ
ଭାବନା ଭିତରେ ବୁଡ଼ି ରହି ମୁଁ
ଖାଲି ଝୁରି ହୁଏ ତୁମ ପାଇଁ ।
ରୁଟିନ ବନ୍ଧା ଜୀବନେ
ଆସୁଥିଲ ତୁମେ ପ୍ରତିଦିନ
ସ୍ୱପ୍ନ ରାଇଜର ସୌଧ ଗଢ଼ି
କାହିଁ ଦୂରେଇଗଲ ସବୁଦିନ ।
ତମେ ଛାଡ଼ି ଗଲାପରେ
ଜୀବନର ଜଉଘରେ
ଜଳୁଛି ମୁଁ ଶୂନ୍ୟତା ଭିତରେ
ଅନୁତାପର ଅଶ୍ରୁ ଅନଳରେ ।
ଭୁଲି ହଉନାହିଁ ସେଦିନର
ସେହି ପ୍ରଥମ ପ୍ରେମକୁ
ହୃଦୟର ସ୍ପନ୍ଦନ ଶେଷ ହେବାଯାଏଁ
ପ୍ରତୀକ୍ଷା କରିବି ମୁଁ ତୁମକୁ ।

