ଶୀତୁଆ ସକାଳ
ଶୀତୁଆ ସକାଳ
ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶୀତ
ଧରାଧରି ହେଇ ଆସନ୍ତି ହାତକୁ ହାତ ।
କାର୍ତ୍ତିକ, ମାର୍ଗଶିର, ପୌଷ ଆଉ ମାଘ
ଥଣ୍ଡା ମାଡ଼ିଆସେ ସତେ ଶୀତୁଆ ବାଘ ।
ଶୀତୁଆ ସକାଳର ସୂର୍ଯ୍ୟଙ୍କ ରକ୍ତିମ ଆଭା
ବିଛୁରିତ କିରଣ କରିଦିଏ ମନ ଲୋଭା ।
ଭାସିଆସେ ଚତୁର୍ଦ୍ଦିଗୁ ପକ୍ଷୀଙ୍କ ସ୍ୱର ମୂର୍ଚ୍ଛନା
ଘଣ୍ଟାଘଣ୍ଟ ଶଙ୍ଖଧ୍ୱନି ଦିଅଇ ଶୁଭ ସୂଚନା ।
ପୂର୍ବ ପରି ନାହିଁ ଆଉ ଆଜିକା ଏ ଶୀତ
ଏବେକା ସମୟେ ସେ ହୁଅଇ ଆମ ମିତ ।
ଶୀତରେ ପଡଇ ବହୁ ଓଷା ବାର ବ୍ରତ
ନିରାମିଷ ଭୋଜନେ ଚିତ୍ତ ହୁଏ ସନ୍ତୁଷ୍ଟ ।
ମନେପଡେ ପିଲାବେଳେ ଆସୁଥିଲା ଶୀତ
ଶରୀର କାଲୁଆ ହେଇ ଥରୁଥିଲା ଓଠ ।
ଖୋଜାହୁଏ ଶୋଇବାକୁ ହେଁସ ହଉ କି ମସିଣା
ସକାଳ ଦଶ ଘଡିଯାଏଁ ଛାଡି ନ ହୁଏ ବିଛଣା ।
ସକାଳ ସଞ୍ଜେ ନିଆଁ ପୁଆଁ ଲାଗେ ଭାରି ମିଠା
ଶୀତ ଦିନେ ଖାଉଥିଲୁ କି ସୁଆଦିଆ ପିଠା ।
ସଞ୍ଜବେଳେ ଘେରିଯାଉ ବସିବାକୁ ଚୁଲୀ ପାଖେ
ଖାଇସାରି ମୁହଁ ନ ଧୋଉ ପାଣି ନ ପଡେ ହାତେ ।
ସ୍ନାନ ନ କରି ରହିଯାଉ ମଳି ବସିଯାଏ ପୋଟେ
ଚଡ଼ଚଡ ହେଇ ହାତ ମୁହଁ ସବୁ ଆଁ କରି ଫାଟେ ।
ଭାରି ଭଲ ଲାଗେ ସେହି କାଠୁରିଆ ଶୀତ ଦିନ
ତାଜା ତାଜା ପନି ପରିବା ମିଳଇ ପ୍ରତିଦିନ ।
ସେକାଳ ଶୀତକୁ କାହୁଁ ଜାଣିବେ ଆଜିକା ପିଲା
ସବୁ ଅଛି ତାଙ୍କ ପାଶେ ନାହିଁ କିଛି ବି ଝମିଲା ।
